ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶାର ଜଣାଶୁଣା ରାଜନୀତି ବିଜ୍ଞାନୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ଲୋକ ପ୍ରଶାସନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ଯୋଗଦେଇଥିଲେ । ସେ ନିଜ ଜୀବନର ସଂଘର୍ଷମୟ କଥାକୁ ବଖାଣିଥିଲେ । ପିଲାଟି ଦିନରୁ କେତେ ସଂଘର୍ଷ କରିବାକୁ ପଡିଛି ଏବଂ କେଉଁ କେଉଁ ଦିଗକୁ ନେଇ ଆଗକୁ ବଢି ଆଜି ସଫଳତା ପାଇଛନ୍ତି, ସେ ସବୁକୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀମତୀ ତ୍ରିପାଠୀଙ୍କ ସଂଘର୍ଷରୁ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ମନରେ ପ୍ରେରଣା ଭରିଥିଲା ।

କଲେଜ ଅଧ୍ୟକ୍ଷ ଡ଼ ବିପିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ “ମହିଳା ଓ ବିକାଶ:ସାମ୍ପ୍ରତିକ ସମୟରେ ଆହ୍ୱାନ” ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନାକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ବରିଷ୍ଠ ଅଧ୍ୟାପକ ଗୌରହରି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଡ଼ ବିପିନ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଷୋଡ଼ଶ ଶତାବ୍ଦୀରୁ ବର୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କ ସ୍ଥିତି, ଆହ୍ୱାନ ଏବଂ ଏହାର ସମାଧାନ ପାଇଁ ପଦକ୍ଷେପ । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ମହିଳାମାନଙ୍କ ଭୋଟଦାନ ଅଧିକାର ମହିଳାଙ୍କୁ କିପରି ସଶକ୍ତ କରିଥିଲା ଏବଂ ସାମ୍ପ୍ରତିକ ସମୟର ସ୍ଥିତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ସମାଜର ବିକାଶ ପାଇଁ ଉଭୟ ପୁରୁଷ ଓ ମହିଳା ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ । ଉଭୟଙ୍କ ସହଭାଗିତାରେ ପରସ୍ପରର ବିକାଶ ହୋଇ ପାରିବ ବୋଲି ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ କହିଥିଲେ । ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷଣାର୍ଥୀ ସାମ୍ବାଦିକ ଜୟେନ୍ଦ୍ର ବେହେରା ଆଲୋଚନା ଚକ୍ରରେ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ କରିଥିଲେ । ଅଧ୍ୟାପିକା ସ୍ଵାଗତିକା ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପରିଶେଷରେ ଅଧ୍ୟାପିକା ସସ୍ମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସବୁ ବର୍ଗଙ୍କ ପାଇଁ ଏହି ଆଲୋଚନା ଚକ୍ର ବେଶ ଉପାଦେୟ ହୋଇଥିଲା ।


