ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ରେ କଂଗ୍ରେସ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ବିଜେପି କର୍ମୀମାନେ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ନୟାଗଡ଼ର କଂଗ୍ରେସ କର୍ମୀ ପ୍ରହଲ୍ଲାଦ ପାତ୍ର ଏବଂ ଛାତ୍ର କଂଗ୍ରେସ କର୍ମୀ ଶାଶ୍ୱତ ପ୍ରଧାନଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଆକ୍ରମଣରେ ପ୍ରହଲ୍ଲାଦ ପାତ୍ର ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାକୁ ନେଇ ନୟାଗଡ଼ରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ଦଳ ଅଭିଯୋଗ କରିଛି।

ଘଟଣାର ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ନୟାଗଡ଼ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, କଂଗ୍ରେସ ନେତା କମଳ ଲୋଚନ ସାହୁ ଏବଂ ଯୁବ କଂଗ୍ରେସ ସଭାପତିଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

