ନୟାଗଡ଼, (ଓଡ଼ିଶା ଲେଖା): ଦୀର୍ଘ ସମୟ ଧରି ଚାଲିଥିବା ନିର୍ବାଚନୀ ହୋହଲ୍ଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଏବେ ସମସ୍ତଙ୍କ ନଜର ଭୋଟ ଗଣତି ଓ ଫଳାଫଳ ଉପରେ। ଅପରାହ୍ନ ୫ଟାରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାରୁ ଛାତ୍ର ରାଜନୀତିରେ ଉତ୍କଣ୍ଠା ବଢ଼ିଛି। ମହାବିଦ୍ୟାଳୟରେ ମୋଟ ୨,୨୬୭ ଜଣ ଭୋଟରଙ୍କ ମଧ୍ୟରୁ ୧,୭୩୨ ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଫଳରେ ମୋଟ ମତଦାନ ହାର ୭୬.୫୩% ପ୍ରତିଶତ ରହିଛି। ମତଦାନ ପାଇଁ ମହାବିଦ୍ୟାଳୟ ପକ୍ଷରୁ ୧୫ଟି ବୁଥ୍ର ବ୍ୟବସ୍ଥା କରାଯାଇଥିଲା। ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥିଲା। ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ନିଜ ନିଜର ମତଦାନ କରିଥିଲେ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଦେଢ଼ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।ମତଦାନ ଶେଷ ହେବା ପରେ ଏବେ ଆରମ୍ଭ ହେବ ଭୋଟ ଗଣତି। ଅପରାହ୍ନ ୫ଟାରେ ଫଳାଫଳ ଘୋଷଣା ହେବା ସହ ଉଭୟ ଗୋଷ୍ଠୀର ୨୮ ଜଣ ଛାତ୍ରନେତାଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। କେଉଁ ଗୋଷ୍ଠୀ ବାଜିମାତ୍ କରିବ ଏବଂ କାହାକୁ ମିଳିବ ଛାତ୍ରଛାତ୍ରୀଙ୍କ ସମର୍ଥନ, ତାହା ଜାଣିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ସମସ୍ତେ।

