ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ସମସ୍ୟାକୁ ନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଭାପୁରଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଥିଲା। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ପାଇଁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୨ଟି ଡାକ୍ତର ପଦବୀ ବଦଳରେ ମାତ୍ର ୫ ଜଣ ଡାକ୍ତରଙ୍କ ଉପରେ ନିର୍ଭର କରାଯାଉଛି। ଏଥିସହ ଡାକ୍ତରୀ ଅବହେଳା ଅଭିଯୋଗ, ଔଷଧ ଯୋଗାଣ, ମାଗଣା ଅଲଟ୍ରାସାଉଣ୍ଡ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକ୍ଷମତା ଓ ବେଆଇନ କ୍ଲିନିକ୍ ସମ୍ପର୍କରେ ମଧ୍ୟ ଦାବି ଉଠାଯାଇଛି। ସ୍ମାରକପତ୍ରରେ ଗୋଳାପୋଖରୀ ଗ୍ରାମର ୧୭ ବର୍ଷୀୟା ଛାତ୍ରୀ ସନ୍ତୋଷୀ ବେହେରାଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ପ୍ରଶାସନିକ ଓ ଫୋରେନସିକ୍ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି। ଏହାସହ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ଥିବା ଡାକ୍ତର ପଦବୀ ପୂରଣ, ବାୟୋମେଟ୍ରିକ୍ ଉପସ୍ଥାନ ଓ ଭିଜିଲାନ୍ସ ଯାଞ୍ଚ, ମାଗଣା ଅଲଟ୍ରାସାଉଣ୍ଡ ଓ ଏକ୍ସରେ ସେବା ଆରମ୍ଭ, ପଦ୍ମାବତୀ, ନିମାଣି ଓ ବାଘୁଆପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ନିଯୁକ୍ତି ଏବଂ ବିଜିପୁର ହସ୍ପିଟାଲରେ OPD ଆରମ୍ଭ ପାଇଁ ଦାବି ହୋଇଛି।ବ୍ଲକ୍ରେ ଚାଲୁଥିବା ବୋଲି ଅଭିଯୋଗ ହୋଇଥିବା ବେଆଇନ କ୍ଲିନିକ୍ ଓ ଅଯୋଗ୍ୟ ବ୍ୟକ୍ତିଙ୍କ ଚିକିତ୍ସା କାରବାର ବିରୋଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁଯାୟୀ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସେହିପରି ଶିକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାପୁର ବ୍ଲକ୍ରେ ପାଠ୍ୟପୁସ୍ତକ ଯୋଗାଣରେ ବିଳମ୍ବକୁ ନେଇ ମଧ୍ୟ ଅଭିଯୋଗ ହୋଇଛି।

ତୃତୀୟ ଶ୍ରେଣୀର ୧,୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଅନେକ ପିଲାଙ୍କୁ ପୁସ୍ତକ ମିଳିନଥିବା ଦାବି କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁସ୍ତକ ବଣ୍ଟନ ପାଇଁ କଂଗ୍ରେସ ଦାବି କରିଛି। ମାଟ୍ରିକ୍ ପରୀକ୍ଷା ଫଳାଫଳକୁ ନେଇ ମଧ୍ୟ ଦଳ ପ୍ରଶ୍ନ ଉଠାଇଛି। ବ୍ଲକ୍ରେ ପ୍ରତିବର୍ଷ ପ୍ରାୟ ୧,୩୦୦ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଥିବାବେଳେ A-1 ଗ୍ରେଡ୍ ପାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ଥିବା ଦାବି କରାଯାଇଛି। ବଡ଼ସହରା ହାଇସ୍କୁଲ ଓ ପଦ୍ମାବତୀ ପିଏମ୍ ଶ୍ରୀ ହାଇସ୍କୁଲର ଫଳାଫଳକୁ ନେଇ ଶିକ୍ଷାଗତ ସମୀକ୍ଷା କରାଯିବା ସହ ପାଠପଢ଼ାର ମାନ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। କଂଗ୍ରେସ ପକ୍ଷରୁ ଭାପୁର ଅଞ୍ଚଳର ସମସ୍ତ ଖାଲି ଡାକ୍ତରୀ ପଦବୀକୁ ୩୦ ଦିନ ମଧ୍ୟରେ ଡେପୁଟେସନ୍ କିମ୍ବା ନିୟମିତ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ଦାବି କରାଯାଇଛି। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭିତ୍ତିଭୂମି ଉନ୍ନତିକରଣ ପାଇଁ ୨.୩୭ କୋଟିର ଟେଣ୍ଡର ପ୍ରକ୍ରିୟା ଚାଲିଥିବା ସରକାରୀ ଟେଣ୍ଡର ସୂଚନାରୁ ମଧ୍ୟ ଜଣାପଡ଼ୁଛି। ଦାବିଗୁଡ଼ିକ ଉପରେ ଆଗାମୀ ୩୦ ଦିନ ମଧ୍ୟରେ ଠୋସ୍ ପଦକ୍ଷେପ ନିଆନଗଲେ ଭାପୁର ଜନସାଧାରଣଙ୍କୁ ସାଥୀ କରି ଅହିଂସା, ଗଣତାନ୍ତ୍ରିକ ଓ ନିରବଚ୍ଛିନ୍ନ ସତ୍ୟାଗ୍ରହ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ବିନୋଦିନୀ ମହାନ୍ତି, ସାଧାରଣ ସମ୍ପାଦକ ତଥା ଯୁବ ଆଇନଜୀବୀ ପ୍ରଦୀପ ପ୍ରଧାନ, ଭାପୁର ବ୍ଲକ୍ କଂଗ୍ରେସ ସଭାପତି ବାଙ୍କବିହାରୀ ଧଳ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଛାତ୍ରନେତା ଓମପ୍ରକାଶ ପ୍ରଧାନ, ସିଦ୍ଧାନ୍ତ ଦାସ ଓ ଶ୍ରମିକ ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

