ଭୁବନେଶ୍ୱର, (ଓଡ଼ିଶା ଲେଖା): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ୩ ବର୍ଷୀୟ ଏଲ୍ଏଲ୍ବି (୨୦୨୫ ବ୍ୟାଚ୍) ୨ୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ପୁରୀ ଜିଲ୍ଲାର ମେରାଇନ୍ ଡ୍ରାଇଭ୍ ଅଞ୍ଚଳର ମା’ ରାମଚଣ୍ଡୀ ମନ୍ଦିର ନିକଟ ସମୁଦ୍ରକୂଳରେ ଏକ ଆଡମ୍ବରପୂର୍ଣ୍ଣ ବନ୍ଧୁମିଳନ ଉତ୍ସବ ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୟୁନିସେଫ୍ ସହଯୋଗରେ ପରିଚାଳିତ ‘ୟୁଥ୍ ଫର୍ ୱାଟର୍ ପ୍ଲସ୍’ ସଂଗଠନର ମିଳିତ ଆନୁକୂଲ୍ୟରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ସମାଜ’ ଶୀର୍ଷକ ଏକ ସ୍ୱତନ୍ତ୍ର ପରିବେଶ ସୁରକ୍ଷା ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ମହାବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇ ସମୁଦ୍ରକୂଳରେ ପଡ଼ିଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ। ଏଥିସହ ଭୋଜି ପରିସରକୁ ସଫାସୁତୁରା କରିବା ସହ ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ ପାଇଁ ସଚେତନତା ସୃଷ୍ଟି କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରମଣି ଜେନା, ବିଶିଷ୍ଟ ଅଧ୍ୟାପକ ଡ଼ ଶେଖ୍ ଇସଲାମ ଏବଂ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଅରୂପ କୁମାର ଦେଓ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଓ ଉତ୍ସାହିତ କରିଥିଲେ। ସାମାଜିକ ଦାୟିତ୍ୱବୋଧ ସହ ମନୋରଞ୍ଜନର ଏହି ନିଆରା ସମନ୍ୱୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ବନ୍ଧୁମିଳନ ଅବସରରେ ଛାତ୍ରଛାତ୍ରୀମାନେ ଅତୀତରେ ଶିକ୍ଷାର୍ଥୀ ଜୀବନର ସ୍ମୃତି ରୋମନ୍ଥନ କରିବା ସହ ବର୍ତ୍ତମାନର କଲେଜ ଜୀବନ ଓ ଅନୁଭୂତିକୁ ନେଇ ଆଲୋଚନା କରିଥିଲେ। ଏଥିସହ ସମାଜସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।ଅଭାବୀ ଓ ଅସହାୟ ଲୋକଙ୍କୁ ସହାୟତା, ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ସମୟ ବିତାଇବା, ରକ୍ତଦାନ ଏବଂ ଚିକିତ୍ସା ସେବା ଭଳି ସମାଜସେବା କାର୍ଯ୍ୟ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସମାଜର ଅବହେଳିତ ଓ ନିମ୍ନବର୍ଗୀୟ ପରିବାରର ମେଧାବୀ ପିଲାମାନଙ୍କ ପାଠପଢ଼ାର ଦାୟିତ୍ୱ ନେବା ପାଇଁ ଏକ ପ୍ରସ୍ତାବ ଆସିଥିବା ବେଳେ ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ସେହିପରି ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରିବାକୁ ମଧ୍ୟ ସମସ୍ତେ ସହମତି ପ୍ରକାଶ କରିଥିଲେ।ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ଖେଳ, ମଜାଳିଆ କାର୍ଯ୍ୟକ୍ରମ ଓ ଆନନ୍ଦ ଉତ୍ସବର ଆୟୋଜନ ହୋଇଥିଲା। ରାଜୀବ ରାଉତରାୟ, ସାରସ୍ୱତ ବିଭୂପଦ ଓ ସୋନାଲି ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବନ୍ଧୁମିଳନ ଆୟୋଜିତ ହୋଇଥିଲା। ଅନୁପମା ସେଠୀ, ସସ୍ମିତା ବଳ, ସୌମ୍ୟ ନନ୍ଦ, ବିଜନ ଦାସ, ଭୂପତି ପାତ୍ରଙ୍କ ସମେତ ଅନ୍ୟ ବନ୍ଧୁମାନେ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଆଗାମୀ ଦିନରେ ଏହି ବନ୍ଧୁମିଳନ ପରମ୍ପରାକୁ ଅବ୍ୟାହତ ରଖିବା ସହ ଅଧିକରୁ ଅଧିକ ବନ୍ଧୁବାନ୍ଧବୀଙ୍କୁ ସାମିଲ କରିବା ଏବଂ ସାମାଜିକ ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି ।

