ନୟାଗଡ଼, (ଓଡ଼ିଶା ଲେଖା): ଏଇ ତ ମାତ୍ର ଆରମ୍ଭ ! ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଜିଲ୍ଲା ରାଜନୀତିରେ ଏକ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ଏହି ଫଳାଫଳ କେବଳ ଛାତ୍ର ରାଜନୀତିର ସଫଳତା ଓ ବିଫଳତାକୁ ଦର୍ଶାଉନାହିଁ, ବରଂ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ନୟାଗଡ଼ର ରାଜନୈତିକ ଶିବିରରେ ମଧ୍ୟ ଆଲୋଚନାର ଖୋରାକ ଯୋଗାଇଛି। ୨୦୨୪ରେ ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ନୟାଗଡ଼ ବ୍ଲକ ଓ ପୌରାଞ୍ଚଳର କିଛି ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଘଟଣା ସ୍ଥାନୀୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ରାଜନୈତିକ କ୍ଷମତା, ପଦପଦବୀ ଓ ଭବିଷ୍ୟତର ରାଜନୈତିକ ସମୀକରଣକୁ ନେଇ ଦଳ ପରିବର୍ତ୍ତନ କରିଥିବା ନେତାଙ୍କ ରଣନୀତିକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି।କେଉଁଠି ପଦପଦବୀର ଆଶା, କେଉଁଠି ରାଜନୈତିକ ସୁଯୋଗର ଆକାଂକ୍ଷା, ତ ଆଉ କେଉଁଠି କ୍ଷମତା ପରିବର୍ତ୍ତନର ସମ୍ଭାବନାକୁ ଦେଖି ନେତାମାନେ ନିଜର ରାଜନୈତିକ ଆଭିମୁଖ୍ୟ ବଦଳାଉଥିବା ନେଇ ଚର୍ଚ୍ଚା ଜାରି ରହିଛି। ଏପରି ସ୍ଥିତିରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ଦଳ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱରେ ଥିବା ନେତାମାନଙ୍କ ପାଇଁ କଲେଜ ନିର୍ବାଚନ ଫଳାଫଳ ଏକ ରାଜନୈତିକ ସଙ୍କେତ ବୋଲି ଚର୍ଚ୍ଚା ହେଉଛି।ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ରାଜନୈତିକ ରଣନୀତି ଓ ବିଜୁ ଛାତ୍ର ଜନତା ଦଳର ସଂଗଠନାତ୍ମକ ପ୍ରୟାସ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ଏହି ବିଜୟ ଛାତ୍ର ରାଜନୀତିରେ ବିଜେଡିର ସମର୍ଥନ ଓ ସଂଗଠନକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏହି ଫଳାଫଳକୁ ନେଇ ଦଳଡିଆଁ ରାଜନୀତିରେ ମାତିଥିବା ନେତାମାନେ ନିଜ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ପୁନର୍ବିଚାର କରିବେ କି? ଦଳ ପରିବର୍ତ୍ତନ କରିବା ପୂର୍ବରୁ ଜନସମର୍ଥନ, ସଂଗଠନର ଶକ୍ତି ଓ ନିଜର ରାଜନୈତିକ ଭିତ୍ତିଭୂମିକୁ ଆକଳନ କରିବେ କି? ଏହି ପ୍ରଶ୍ନ ଏବେ ନୟାଗଡ଼ର ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।ଅନ୍ୟପକ୍ଷରେ, ପୂର୍ବରୁ ଦଳ ପରିବର୍ତ୍ତନ କରିଥିବା ନେତାମାନଙ୍କ ପାଇଁ ମଧ୍ୟ ଏହି ଫଳାଫଳ ଏକ ଆତ୍ମସମୀକ୍ଷାର ସୁଯୋଗ ବୋଲି ମତ ପ୍ରକାଶ ପାଉଛି। କାରଣ, ରାଜନୀତିରେ କେବଳ କ୍ଷମତାର ସମୀକରଣ ନୁହେଁ, ଜନସମର୍ଥନ ଓ ତୃଣମୂଳସ୍ତରର ସଂଗଠନ ମଧ୍ୟ ନିର୍ଣ୍ଣାୟକ ଭୂମିକା ନିଭାଇଥାଏ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନୟାଗଡ଼ରେ ଏବେଠାରୁ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ କଲେଜ ନିର୍ବାଚନର ଏହି ଫଳାଫଳ ଦଳୀୟ ନେତାଙ୍କ ପାଇଁ କେତେ ଦୂର ପ୍ରଭାବଶାଳୀ ହେବ, ତାହା ଆଗାମୀ ସମୟ ହିଁ କହିବ। ଛାତ୍ର ସଂସଦ ନିର୍ବାଚନର ବାର୍ତ୍ତା ସ୍ପଷ୍ଟ—ରାଜନୀତିରେ ଦଳ ପରିବର୍ତ୍ତନ ଅପେକ୍ଷା ଜନସମର୍ଥନ ଓ ସଂଗଠନର ଶକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ। ଏବେ ଦେଖିବାକୁ ବାକି, ଏହି ବାର୍ତ୍ତାକୁ ଦଳଡିଆଁ ନେତାମାନେ କେତେ ଗମ୍ଭୀରତାର ସହ ଗ୍ରହଣ କରୁଛନ୍ତି।

