ନୟାଗଡ଼, (ଓଡ଼ିଶା ଲେଖା): ଶାରୀରିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ଶ୍ରେଣୀ–VII ପାଇଁ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ନୟାଗଡ଼ର ରାଜସୁନାଖଳାସ୍ଥିତ ପରିସରରେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାକୁ DIETର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଏଥିରେ ମୋଟ ୫୪ ଜଣ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗଦେଇଥିଲେ। କର୍ମଶାଳାରେ ଅନୁଷ୍ଠାନର ସହକର୍ମୀ ତଥା ଦୀପକ କୁମାର ପ୍ରଧାନ (O/C), ପ୍ରତାପ କୁମାର ମହାପାତ୍ର ଓ ଶିଖା ସିଆଲ ପ୍ରଶ୍ନପତ୍ର ଓ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କର୍ମଶାଳାରେ ଦକ୍ଷତାଭିତ୍ତିକ, ଶିକ୍ଷଣ ଫଳାଫଳ ଆଧାରିତ ଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ମୂଲ୍ୟାୟନକୁ ଗୁରୁତ୍ୱ ଦେଇ ପ୍ରଶ୍ନ ପ୍ରସ୍ତୁତି ଉପରେ ବିଶେଷ ଅଭ୍ୟାସ କରାଯାଇଥିଲା। ଏହାସହ ପ୍ରଶିକ୍ଷକ ଓ ପ୍ରଶିକ୍ଷିକାମାନେ ନିଜ ଅନୁଭୂତି ଓ ଜ୍ଞାନ ବିନିମୟ କରିବା ସହ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ମନୋରଞ୍ଜନ ଦାଶ, ମାନସ କୁମାର ସାହୁ, ସ୍ୱାଗତିକା ଶରଣ, ବିଶ୍ୱରଞ୍ଜନ ପଟ୍ଟନାୟକ, ବଟକୃଷ୍ଣ ସାହୁ ଓ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ଅନ୍ୟ ସହକର୍ମୀମାନଙ୍କ ସହଯୋଗରେ କର୍ମଶାଳାଟି ସୁସଂଗଠିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ପରିଶେଷରେ DIETର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପ୍ରଶିକ୍ଷକ-ପ୍ରଶିକ୍ଷିକା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ ଜ୍ଞାପନ କରିଥିଲେ।

