ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ନିକଟସ୍ଥ ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ମିଥୁନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଜିର ପ୍ରତିଯୋଗିତାମୂଳକ ସମୟରେ ଛାତ୍ରଛାତ୍ରୀଙ୍କ ଅଗ୍ରଗତି ଓ ସଫଳତା ପାଇଁ ଅଭିଭାବକଙ୍କ ସକ୍ରିୟ ଭୂମିକା ଅତ୍ୟନ୍ତ ଜରୁରୀ। ଶିକ୍ଷାନୁଷ୍ଠାନ କେବଳ ପାଠପଢ଼ାରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବା ସହ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବିଧାୟକ ଡ଼ ସାହୁ ବକ୍ତବ୍ୟ ରଖିଥିଲେ। ସେହିପରି ସମ୍ମାନିତ ଅତିଥି ସମାଜସେବୀ ଇରାନୀ ରାୟ ଛାତ୍ରଛାତ୍ରୀଙ୍କୁ ବାପା-ମାଆଙ୍କ ସହ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରଖିବାକୁ ପରାମର୍ଶ ଦେଇଥିଲେ।

ସେ କହିଥିଲେ, “ବାପା-ମାଆଙ୍କ ସହ ଗୁରୁମାନଙ୍କୁ ଶ୍ରଦ୍ଧା କର, ସମ୍ମାନ ଦିଅ, ଦେଖିବ ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହେବ।” ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ଶଶାଙ୍କ ଶେଖର ସ୍ୱାଇଁ ଯୋଗଦେଇଥିଲେ। ଉତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଯାଦୁକର ଜେ. କେ. କ୍ରିଷ୍ଣାଙ୍କ ଚିତ୍ତାକର୍ଷକ ଯାଦୁ ପ୍ରଦର୍ଶନ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅତିଥିମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। ୨୦୨୪ ମସିହାରେ ମାତ୍ର ୧୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ସାଇ ଶିକ୍ଷା ନିକେତନରେ ବର୍ତ୍ତମାନ ୩୧୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ଦୁଇ ବର୍ଷ ମଧ୍ୟରେ ଅନୁଷ୍ଠାନର ଏହି ଉଲ୍ଲେଖନୀୟ ଅଗ୍ରଗତିକୁ ନେଇ ଅତିଥି ଓ ଅଭିଭାବକମାନେ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଜେ. କେ. କ୍ରିଷ୍ଣା ମଞ୍ଚ ସଂଯୋଜନା କରିଥିଲେ।

