ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମୁଥାଗାଡ଼ିଆ ପଞ୍ଚାୟତ ଅଧୀନ ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଗଣଧାରଣା ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି କରି ଆନ୍ଦୋଳନକାରୀମାନେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ଗଣିତ ଓ ବିଜ୍ଞାନ ଭଳି ମୁଖ୍ୟ ବିଷୟରେ ସ୍ଥାୟୀ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିକୂଳ ପ୍ରଭାବ ପରୀକ୍ଷା ଫଳାଫଳ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ପଡ଼ିବା ନେଇ ଅଭିଭାବକ ଓ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି କରି ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଧାରଣାରତ ଲୋକେ ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି।

