ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ରେ କଂଗ୍ରେସ ଚାଷୀ ସମାବେଶ କାର୍ଯ୍ୟକ୍ରମ ଶେଷ ହୋଇନଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ପତାକା ଗୁଡ଼ିକୁ ପୌର କର୍ମଚାରୀମାନେ ଖୋଲି ଦେଉଥିଲେ। ଖବର ପାଇ ଛାତ୍ର କଂଗ୍ରେସ ନେତା ଶିବ ରଞ୍ଜନ ସାହୁ ଓ କିଛି ଛାତ୍ର ନେତା ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ପୌର କର୍ମଚାରୀ ନଶୁଣିବାରୁ ଛାତ୍ର ନେତାମାନେ ପୌର କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ନିର୍ବାହୀ ଅଧିକାରୀ ବେପରୁଆ ମନ୍ତବ୍ୟ ଦେବାରୁ ଛାତ୍ର କଂଗ୍ରେସ ନେତାମାନେ ତାଙ୍କୁ ଦୀର୍ଘ ସମୟ ଘେରାଉ କରି ରଖିଥିଲେ।

ଖବରପାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ସାମନ୍ତରାୟ, ଟାଉନ ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିଥିଲେ। ନିୟମ ଅନୁସାରେ ୨୪ ଘଣ୍ଟା ପରେ ପତାକା ଖୋଲିବା ବଦଳରେ ନିର୍ବାହୀ ଅଧିକାରୀ କାହିଁକି ପତାକା ଖୋଲାଇଲେ ବୋଲି ଛାତ୍ରନେତା ମାନେ ହୋ ହାଲ୍ଳା କରିବା ସହ ଚାମ୍ବର ଆଗରେ ଧାରଣା ଦେଇଥିଲେ। ଦୁଇ ଦିନ ପରେ ପତାକା ଖୋଲାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଘେରାଉ ଭାଙ୍ଗିଥିବା ସୂଚନା ମିଳିଛି।


