ଭୁବନେଶ୍ୱର, (ଓଡ଼ିଶା ଲେଖା): ଓଡ଼ିଶାର ଅଧିକାର ଓ ସମ୍ପଦର ସୁରକ୍ଷା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଭୁବନେଶ୍ୱର ପିଏମଜି ଛକ ନିକଟରେ ଆୟୋଜିତ ବିଜେଡିର ଜନଆନ୍ଦୋଳନରେ ଯୋଗଦେଇ ନବୀନ କହିଛନ୍ତି, “ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ।” ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଧାନସଭା ସମ୍ମୁଖରେ ବିଜେଡି ପକ୍ଷରୁ ଏହି ଜନଆନ୍ଦୋଳନ ଆୟୋଜିତ ହୋଇଥିଲା।

ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଓଡ଼ିଶାର ଅଧିକାର ଓ ଖଣିଜ ସମ୍ପଦକୁ ଅବହେଳା କରାଯିବାକୁ ଦିଆଯିବ ନାହିଁ। ନବୀନ କହିଛନ୍ତି, ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ ଦିଆଯିବ ନାହିଁ ଏବଂ ରାଜ୍ୟର ସମ୍ପଦକୁ ଅବହେଳା କରିବାକୁ ମଧ୍ୟ ଦିଆଯିବ ନାହିଁ। ଏହି ଦାବିକୁ ନେଇ ବିଜେଡି ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରଖିବ ବୋଲି ଦଳୀୟ ନେତାମାନେ କହିଛନ୍ତି। ବିଧାନସଭାର ଗାନ୍ଧୀ ମାର୍ଗ ଲୋକାରଣ୍ୟ ହୋଇଯାଇଥିଲା ।

