ନୟାଗଡ଼, (ଓଡ଼ିଶା ଲେଖା): ଦୁଇ ମାସର ପରିଶ୍ରମ ପରେ ଶରଣକୁଳ ପୋଲିସକୁ ମିଳିଛି ସଫଳତା । ପୋଲିସର ମୁଣ୍ଡ ବିନ୍ଧା କରିଦେଇଥିଲେ ଅଭିଯୁକ୍ତ । ଆଜି ତା ଘରୁ ତ କାଲି ଆଉ କା ଘରୁ ଏମିତି ଦିନକ ପରେ ଦିନେ ଆ ତା ଘରୁ ଚୋରି ହେଉଥିଲା । ଏବଂ ଥାନାକୁ ମଧ୍ୟ ଅଭିଯୋଗର ଲାଇନ୍ ଲାଗିଥିଲା । ଦୁଇ ମାସ ଧରି ଶରଣକୁଳ ପୋଲିସର ମୁଣ୍ଡ ବିନ୍ଧାଇ ଦେଇଥିଲେ ଚୋର । ଚୋର କୁ ଧରିବା ପାଇଁ ଦୁଇ ମାସ ଧାଇଁ ଧାଇଁ ଅନୁସଂଧାନ କରି ଶେଷରେ ପୋଲିସକୁ ସଫଳତା ମିଳିଛି । ଏହାକୁ ନେଇ ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀ କରିଥିଲେ । ସୂଚନାନୁସାରେ, ଶରଣକୁଳ ଥାନା ନିକଟବର୍ତ୍ତୀ ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ।
ସେହି ଗାଁରୁ ଚୋରୀ:ସେହି ଗାଁର ଚୋର:ଚୋର ଧରିବାକୁ ଲାଗିଲା ଦୁଇ ମାସ !

ଏଥିନେଇ ଶ୍ରୀ ରଥ ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନାରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା। ଆଜିକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଜଣଙ୍କ ଘରୁ ଚୋରି କରି ଚାଲିଥିଲେ। ଚୋରମାନଙ୍କ ପ୍ରାଦୃର୍ଭାବ ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହି ଦିନଠାରୁ ଶରଣକୁଳ ପୁଲିସ ଚୋରଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଆଜି ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ, ଶରଣକୁଳ ଆଇଆଇସି ସୁଜିତ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଅଭିଯୁକ୍ତ ସହିତ ସେମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ସୁନା ଚେନ ୧ଟି, ରୂପା ଝୁଣ୍ଟିଆ ୨, ସାମସଙ୍ଗ ଟିଭି ୧ଟି, ବାଜାଜ ଗ୍ରାଇଣ୍ଡର ୧ଟି, ନୂତନ ଶାଢ଼ୀ ୨ଟି, ପିତଳ ହଣ୍ଡା ଓ ପିତ୍ତଳ ବେଲା, ଘର ଚାବି ସହ ଚୋରି ସାମଗ୍ରୀ ମାନ ଜବତ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପ୍ରକାଶ କରିଥିଲେ। ସେମାନେ ହେଲେ ହଇରାଣିଆ ନାହାକ ଏବଂ ରାଜା ନାହାକ । ଉଭୟଙ୍କ ଘର ସେହି ଗ୍ରାମ ବାଉଁଶିଆ ଅଟେ । ତେବେ ବାଉଁଶିଆ ଗାଁରେ ଚୋରୀ ଏବଂ ଚୋର ବି ସେହି ବାଉଁସିଆ ଗ୍ରାମରେ କିନ୍ତୁ ଚୋରକୁ ଧରିବା ପାଇଁ ଦୁଇ ମାସ ଲାଗିବା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


