ଭଞ୍ଜନଗର, (ଓଡ଼ିଶା ଲେଖା): ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ପାଟ୍ରୋଲିଂ ସମୟରେ ନୂଆଗାଁ ସେତୁ ନିକଟରୁ ଏକ ପିକଅପ୍ ଭ୍ୟାନରେ ଚାଲାଣ ହେଉଥିବା ନକଲି ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଭଞ୍ଜନଗର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନୂଆଗାଁ ସେତୁ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ପିକଅପ୍ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଭ୍ୟାନରୁ ୬୬ଟି ବସ୍ତାରେ ନକଲି ମଦ ଚାଲାଣ ହେଉଥିବା ଜଣାପଡ଼ିଥିଲା।

ଜବତ ମଦର ପରିମାଣ ପାଖାପାଖି ୩୩ ହଜାର ଲିଟର ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବିହାରର ବୋଲି ଜଣାପଡ଼ିଛି। ନକଲି ମଦ ଚାଲାଣକୁ ପାଇଲଟିଂ କରୁଥିବା ଏକ ଆଲ୍ଟୋ କାରକୁ ମଧ୍ୟ ପୋଲିସ ଜବତ କରିଛି। ଘଟଣାକୁ ନେଇ ଭଞ୍ଜନଗର ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତି ଓ ନେଟୱର୍କ ସମ୍ପର୍କରେ ଖୋଳତାଡ଼ ଚାଲିଛି।
ରିପୋର୍ଟ: ରବି ନାରାୟଣ ଦାଶ

