ଭଞ୍ଜନଗର, (ଓଡ଼ିଶା ଲେଖା): ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂକୁ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ପୋଲିସ ବିଭିନ୍ନ ସମୟରେ ମାଦକଦ୍ରବ୍ୟ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିବା ବେଳେ ଆଜି ଭଞ୍ଜନଗର ପୋଲିସକୁ ଆଉ ଏକ ସଫଳତା ମିଳିଛି। ସୂଚନାନୁସାରେ, ଆଜି ସକାଳେ ଭଞ୍ଜନଗର ଉପକଣ୍ଠ ଭେରଡ଼ା ବସ୍ଷ୍ଟପ୍ ନିକଟରେ କିଛି ଅସାମାଜିକ ବ୍ୟକ୍ତି ଏକତ୍ରିତ ହୋଇଥିବା ନେଇ ପୋଲିସକୁ ଖବର ମିଳିଥିଲା। ଖବର ପାଇ ଭଞ୍ଜନଗର ଥାନା ଏଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବିଭିନ୍ନ ମାରଣାସ୍ତ୍ର ସହ ୭ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଗିରଫ ଯୁବକମାନେ ବୁଲା ବେପାରୀ ଓ ପରିବା ବେପାରୀମାନଙ୍କୁ ଟାର୍ଗେଟ କରି ଲୁଟ୍ କରୁଥିବା ଅଭିଯୋଗ ରହିଛି। ଭଞ୍ଜନଗର ଏସ୍ଡିପିଓ ଦୀପକ କୁମାର ମିଶ୍ର ଏକ ପ୍ରେସ୍ ବିବୃତିରେ ସୂଚନା ଦେଇ କହିଛନ୍ତି ଯେ, ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଲୁହା ଖଣ୍ଡା, ୩ଟି ବାଇକ୍ ଏବଂ ୬ ବୋତଲ ମଦ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଞ୍ଜନଗରର ଆଜାଦ ନାୟକ, ସୁଶୀଲ କୁମାର ମିଶ୍ର, ବିଭୁ ଜେନା, ମନୋଜ ପାତ୍ର, ରାକେଶ ବିଷୋୟୀ, ସଙ୍କେତସନ ପଟ୍ଟନାୟକ ଏବଂ ପଥରପଲ୍ଲୀର ସୁଭମ କୁମାର ସେଠୀ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।
ରିପୋର୍ଟ – ରବି ନାରାୟଣ ଦାଶ

