ଭଞ୍ଜନଗର, (ଓଡ଼ିଶା ଲେଖା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ ବେଳେ ପ୍ରାୟ ୧୨ କ୍ୱିଣ୍ଟାଲ (୧,୨୦୦ କିଲୋଗ୍ରାମ) ଗଞ୍ଜେଇ ଜବତ କରିଛି ଭଞ୍ଜନଗର ରେଞ୍ଜ୍ ଅବକାରୀ ଦଳ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ୨ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ସୂଚନାନୁସାରେ, ସେପ୍ଟେମ୍ବର ୨୦ ତାରିଖ ରାତି ପ୍ରାୟ ୭ଟା ୫୦ ମିନିଟ୍ ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ମୁଖ୍ୟ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇ ଅବକାରୀ ଦଳ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ OR-05-AV-0091 ଏବଂ OD-05-AX-7507 ନମ୍ବର ବିଶିଷ୍ଟ ଦୁଇଟି ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ଟିମ୍ ଧରିଥିଲା। ଗାଡ଼ି ଦୁଇଟି ସହ ଗଞ୍ଜେଇକୁ ଜବତ କରାଯାଇଥିଲା। ଏହି ଘଟଣାରେ ଶେଖର ଖଟୁଆ, ମାନସ ନାୟକ ଏବଂ ମନୋରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ PR No. 81/2026-27ରେ ଏକ NDPS ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ NDPS ଆକ୍ଟ, ୧୯୮୫ର ଧାରା 20(b)(ii)(C) ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରା କାରବାର ପଛରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ରିପୋର୍ଟ – ରବି ନାରାୟଣ ଦାଶ

