ନୟାଗଡ଼, (ଓଡ଼ିଶା ଲେଖା): ଚାହା କରି ପିଇବାକୁ ନେଇ ଛାତ୍ରମାନଙ୍କୁ ହଷ୍ଟେଲ ସୂପରିଟେଣ୍ଡେଣ୍ଟ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ନୟାଗଡ଼ କଲେଜ ରୋଡ୍ସ୍ଥିତ ଶ୍ରୀ ସାଇ କଲେଜର ଦେବୋତ୍ତର କଲୋନୀ ୫ମ ଲେନ୍ରେ ଥିବା ହଷ୍ଟେଲରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ହଷ୍ଟେଲରେ ରହୁଥିବା କିଛି ଛାତ୍ର ଚାହା ପ୍ରସ୍ତୁତ କରି ପିଇଥିଲେ। ଏହାକୁ ନେଇ ହଷ୍ଟେଲ ସୂପରିଟେଣ୍ଡେଣ୍ଟ ଛାତ୍ରମାନଙ୍କ ଉପରେ ରାଗି ଯାଇଥିବା ଏବଂ ନିଷ୍ଠୁର ଭାବେ ମାଡ଼ ମାରିଥିବା ଅଭିଯୋଗ ରହିଛି। ଘଟଣାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରମାନଙ୍କ ସୁରକ୍ଷା ଓ ହଷ୍ଟେଲ ପରିଚାଳନା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଅଭିଯୋଗର ସତ୍ୟତା ନେଇ ନିରପେକ୍ଷ ତଦନ୍ତ କରାଯାଇ ଘଟଣାରେ ଦୋଷୀ ଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି।

