ନୟାଗଡ଼, (ଓଡ଼ିଶା ଲେଖା): ପୂଜା ପର୍ବାଣୀରେ ଇରାନୀଙ୍କୁ ଭେଟି ଦେଲେ ନବୀନ । ଇରାନୀ ରାୟଙ୍କୁ ମିଳିଲା ରାଜ୍ୟ ସାଧାରଣ ସଂପାଦିକା ଦାୟୀତ । ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୧୧ଜଣଙ୍କୁ ବିଭିନ୍ନ ଦାୟିତ୍ଵ ବଣ୍ଟନ କରିଥିବା ଜଣାପଡ଼ିଛି । ବିଜୁ ଜନତା ଦଳର ବରିଷ୍ଠ ନେତା ଭାବେ ଉପ ସଭାପତି ଭାବେ ଚିରଞ୍ଜିବି ବିଶ୍ବାଳଙ୍କୁ ଦାୟୀତ୍ଵ ଦିଆଯାଇଥିବା ବେଳେ ବରିଷ୍ଠ ସାଧାରଣ ସଂପାଦକ ଭାବେ ପୁଷ୍ପେନ୍ଦ୍ର ସିଂ ଦେଓ ଓ ଗଣେଶ୍ୱର ବେହେରାଙ୍କୁ ଦାୟୀତ୍ଵ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲାର ବରିଷ୍ଠ ନେତ୍ରୀ ଇରାନୀ ରାୟଙ୍କୁ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ମିଳିଛି । ଇରାନୀ ରାୟ ବିଜୁ ଜନତା ଦଳରେ ସାମିଲ ହେବା ପରେ ଦଳ ସାଂଗଠନିକ କ୍ଷେତ୍ରରେ ମଜବୁତ୍ ହୋଇଛି । ବିଗତ ଦିନରେ ଇରାନୀ ବିଜେପିରୁ ପ୍ରାର୍ଥୀ ହୋଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ବିରୁଦ୍ଧରେ ଲଢ଼ିଥିଲେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଇରାନୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଇରାନୀଙ୍କର ବେଶ ଦବଦାବ ରହିଛି । ଜଣେ ଆଗ ଧାଡ଼ିର ନାରିନେତ୍ରୀ ଭାବେ ଇରାନୀ ବେଶ୍ ପରିଚିତ ଥିବା ବେଳେ ତାଙ୍କର ଲୋକପ୍ରିୟତା ମଧ୍ୟ ରହିଛି । ସେହିପରି ଭାବେ ଲମ୍ବୋଦର ନିଲ, ଅଳକା ମହାନ୍ତି, ସୁଧିର ଦାସ ଓ ମନୋଜ ମିଶ୍ରଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି । ବିଜେଡ଼ି ନେତା ରାଜେଶ ନିଗମ, ସନ୍ତୋଷ ପଟ୍ଟନାୟକ ଓ ରାଜୁ ଘିବେଲଙ୍କୁ ସଂପାଦକ ଭାବେ ନୂଆ କରି ଦାୟୀତ୍ଵ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଇରାନୀଙ୍କୁ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦିକା ଦାୟିତ୍ୱ ମିଳିବା ପରେ କର୍ମୀ ଓ ନେତାମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।


