ମିଶ୍ର ବାବୁଙ୍କ ଘରେ ପସୁ ପସୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ମୋତେ ଦେଖି ବନ୍ଦ ହୋଇଗଲା। କିନ୍ତୁ ଉଭୟଙ୍କ ମୁଖ ମଣ୍ଡଳରେ ଝଗଡ଼ାର ସଂକେତ ସ୍ପଷ୍ଟ ବାରି ହୋଇପଡୁଥିଲା। ପରିସ୍ଥିତିକୁ ହାଲକା କରିବା ପାଇଁ ପଚାରିଲି – ଯୁଦ୍ଧ ସରିଗଲା ନା କିଛି ସମୟ ପାଇଁ ବିରତି ଘୋଷଣା ହୋଇଛି ? ମିଶ୍ରବାବୁ ମୋର ସହକର୍ମୀ ଓ ଅତି ଅନ୍ତରଙ୍ଗ। ବଡ଼ଭାଇ ର ସମ୍ମାନ ତାଙ୍କୁ ମୁଁ ଦିଏ। ମିଶ୍ର ବାବୁଙ୍କ ପତ୍ନୀଙ୍କୁ ମୁଁ ରୂପା ଭାଉଜ ଡାକେ। ଆମ ପରିବାର ଓ ତାଙ୍କ ପରିବାର ମଧ୍ୟରେ ସୁ ସମ୍ପର୍କ ଦୀର୍ଘ ଦିନର। ଭୁବନେଶ୍ୱର ୟୁନିଟ ଥ୍ରୀ ର ପ୍ରଥମ ଲେନ୍ ରେ ମିଶ୍ର ବାବୁ ଟାଇପ ଫୋର୍ କ୍ୱାଟର ପାଇଥିବା ବେଳେ ତାଙ୍କ ପଛ ଲେନ ରେ ଆମ ଘର। ଗୋଟିଏ ବର୍ଷ ଆମେ ଦୁହେଁ ସଚିବାଳୟ ରେ ଚାକିରି ପାଇ ଥିଲେ ହେଁ ମିଶ୍ର ବାବୁ ମୋ ଠାରୁ ଦୁଇବର୍ଷ ବଡ ହୋଇଥିବାରୁ ମୁଁ ତାଙ୍କୁ ବଡ଼ଭାଇ ହିସାବ କରେ।ମୋ ପ୍ରଶ୍ନର ଉତ୍ତର ଦେବାକୁ ମିଶ୍ର ବାବୁଙ୍କ ପୂର୍ବରୁ ରୂପା ଭାଉଜ ପ୍ରସ୍ତୁତ ହୋଇଗଲେ। କହିଲେ – ଆଚ୍ଛା କହିଲ ପ୍ରକାଶ, ତୁମର କୌଣସି ବନ୍ଧୁ ଘରେ ବିବାହ ବା ବ୍ରତ ଆଦି ଉତ୍ସବରେ ତୁମକୁ ବନ୍ଧୁ ମର୍ଯ୍ୟାଦା ଭାବେ ଯେଉଁ ଲୁଗା ପଟା ଦିଅନ୍ତି, ତାହାକୁ ରଖନ୍ତି ନା ଭଲ ନ ଲାଗିଲେ ଫେରାଇ ଦିଅନ୍ତି? ମୁଁ କିଛି ଉତ୍ତର ଦେବା ପୂର୍ବରୁ ମିଶ୍ର ବାବୁ ତାଙ୍କ ପକ୍ଷ ରଖିଲେ। କହିଲେ – ପ୍ରକାଶ, କଥାଟାକୁ ଟିକେ ସମ୍ପୂର୍ଣ ଭାବେ ଶୁଣ ଓ ତା ପରେ ମୁଁ ଠିକ୍ କହୁଛି କି ଭୂଲ୍ କହୁଛି ନିରପେକ୍ଷ ଭାବେ ଉତ୍ତର ଦେବ। ମୋତେ ସୋଫାରେ ବସିବାକୁ କହି ଭାଉଜ ଚା କରିବାକୁ ରୋଷେଇଘରକୁ ଯିବାକୁ ପ୍ରସ୍ତୁତ ହୁଅନ୍ତେ ମିଶ୍ର ବାବୁ ଭାଉଜଙ୍କୁ ତାଗିଦ୍ କରି କହିଲେ – ଚା ପଛରେ କରିବ, ଆଗ ଆମ ଝଗଡ଼ାର ସମାଧାନ ହେଉ। ମୁଁ ଠିକ୍ କହୁଛି କି ଭୁଲ କହୁଛି ତାହା ଆଗ ନିର୍ଣ୍ଣୟ ହେବ, ତା ପରେ ପ୍ରକାଶ ଚା ପିଇବ। ମିଶ୍ର ବାବୁଙ୍କ କଥା ମାନି ରୂପାଭାଉଜ ସୋଫାରେ ବସିଲେ। ମିଶ୍ର ବାବୁ ନିଜ ପକ୍ଷ ରଖି କଥା ଆରମ୍ଭ କଲେ – ଗତ ମାସରେ ତୋ ଭାଉଜର ଭଉଣୀ ଅର୍ଥାତ୍ ମୋ ଶାଳୀର ପୁତୁରା ବାହାଘର ହେଲା। ସେମାନେ ବନ୍ଧୁ ନିମନ୍ତ୍ରଣ କଲେ। ଆମେ ଦୁହେଁ ଯାଇଥିଲୁ। ବନ୍ଧୁ ବେଭାର ଦୁଇ ହଜାର ଓ ପୁଅ ଓ ବୋହୂଙ୍କୁ ପାଞ୍ଚ ହଜାର ଲେଖାଏଁ ଦଶ ହଜାର ଟଙ୍କା ବେଦୀ ବନ୍ଦାଣ ଦେଲୁ। ଆମେ ସେଠାରୁ ଫେରିଲା ବେଳେ ମୋ ଶାଳୀ ଗୋଟିଏ ପଲିଥିନ ବ୍ୟାଗ୍ ରେ ରୂପା ପାଇଁ ଲୁଗା ଓ ମୋ ପାଇଁ ପ୍ୟାଣ୍ଟ୍ ସାର୍ଟ କପଡା ରୂପାକୁ ଧରାଇ ଦେଇ କହିଲା – ନାନୀ , ଘରକୁ ଯାଇ ଲୁଗାପଟା ଦେବାକୁ ସମୟ ହେବ ନାହିଁ। ତେଣୁ ଆଜି ମୁଁ ସମସ୍ତଙ୍କୁ ମର୍ଯ୍ୟାଦା ଲୁଗା ଦେଇ ଦେଉଛି। ନିଜ ଭଉଣୀର ଏପରି ଚାଲାକି କୁ ସେତେବେଳେ ପ୍ରଶଂସା କରିବାକୁ ତୋ ଭାଉଜ ଆଦୌ ଭୁଲି ନଥିଲା। ଏ ଘଟଣା ଘଟିବାର ମାସେ ହୋଇଗଲାଣି। ଆଜି ମୋର ସେ କଥା ମନେ ପଡ଼ିଗଲା। ରୁପାକୁ କହିଲି – ଆଣିଲ ସେ ପ୍ୟାଣ୍ଟ୍ ସାର୍ଟ କପଡା ଦେଖିବା । ଯଦି ହେବ, ଆଗକୁ କୁମାର ପୂର୍ଣ୍ଣିମା ଅଛି,ଟେଲର ପାଖେ ବରାଦ ଦେଇଦେବି। ଆରେ ଭାଇ ସେ କପଡା ଦେଖି ମୋ ମୁଣ୍ଡ ଏକବାରେ ଟିଣ। ତୁ ସେ କପଡା ଦେଖି କହ, ଏ କପଡା କେଉଁଠି ମିଳୁଚି। ଏତେ ଖରାପ କପଡା ମୋ ଜୀବନରେ କେବେ ଦେଖିନି। କପଡା ର ମୂଲ୍ୟ ଲେଖାଥିବା ଷ୍ଟିକର ଚିରା ହୋଇଯାଇଛି। ଅତି ବେଶିହେଲେ ପ୍ୟାଣ୍ଟ୍ ସାର୍ଟ କପଡା ର ମୂଲ୍ୟ ଦୁଇଶହ ଟଙ୍କା ହେବ। ରୂପାର ଶାଢ଼ୀ ମଧ୍ୟ ସେହି ସମାନ ଧରଣର। ଏକ ନମ୍ବର ହାଟରେ ବି ଏତେ ଶସ୍ତା ଶାଢ଼ୀ ବା ପ୍ୟାଣ୍ଟ୍ ସାର୍ଟ କପଡା ଆଦୌ ମିଳିବନି। ବୋଧହୁଏ ଅନ ଲାଇନ୍ ରେ କିଣିଛନ୍ତି। ସାଲୁ କନା ଠାରୁ ବି ହୀନ। ଅନ୍ୟ କାହାକୁ ଦେବାକୁ ବି ଲାଜ ଲାଗିବ। ମୁଁ ରୂପା କୁ ପ୍ରସ୍ତାବ ଦେଉଛି ଯେ ଶାଳୀ ଓ ତା ବରକୁ ଆସନ୍ତା ମୋ ଜନ୍ମ ଦିନରେ ଡାକିବି ଓ ସେହି ଶାଢ଼ୀ କୁ ଶାଳୀ କୁ ଓ ପ୍ୟାଣ୍ଟ୍ ସାର୍ଟ କପଡା ସଢୁକୁ ବନ୍ଧୁ ମର୍ଯ୍ୟାଦା ଭାବେ ଦେଇଦେବି। ମୁଁ କ’ଣ ଭୁଲ କହୁଛି, ତୁମେ ପ୍ରକାଶ କୁହ।ରୂପା ଭାଉଜ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ।ନିଜ ସପକ୍ଷ ରେ ଯୁକ୍ତି କରି କହିଲେ – ଏଥିରେ ମୋ ଭଉଣୀର ଦୋଷ କ’ଣ ? ତା ନିଜର ପୁଅ ବା ଝିଅର ବାହାଘର ହୋଇଥିଲେ ସେ କଣ ଏମିତି ଶସ୍ତା ଲୁଗାପଟା ଦେଇଥାନ୍ତା। ତା ଦେଢ଼ଶୁରର ପୁଅ ବାହାଘର। ସେ ଯାହା କିଣିଥିଲେ ମୋ ଭଉଣୀ ମୋତେ ଧରାଇ ଦେଲା। ସେଥିରେ ମୋ ଭଉଣୀର ଦୋଷ କ’ଣ? ତା ବୋଲି ସେମାନେ ଯାହା କରିବେ ବୋଲି ଆମେ ସେଇଆ କରିବା କି। ବନ୍ଧୁ ଦେଇଥିବା ଲୁଗା କେମିତି ତାଙ୍କୁ ଫେରାଇବା। – ହେଲା, ଯଦି ଶାଳୀର ଦେଢ଼ଶୁର ଏପରି ବାଜେ ଲୁଗାପଟା ଦେଲେ, ତେବେ ଶାଳୀ ଓ ସଢୁ କଣ ଦେଖି ପାରିଲେ ନାହିଁ।ସେମାନେ ତ କହିପାରି ଥାନ୍ତେ ଯେ ଏତେ ଶସ୍ତା ଲୁଗାପଟା କେମିତି ଦେବା? ମିଶ୍ର ବାବୁଙ୍କ ପ୍ରଶ୍ନର ଉତ୍ତର ରୂପା ଭାଉଜଙ୍କ ପାଖରେ ନଥିଲା।ମୋ ପାଖରେ ଆଉ ସମୟ ନ ଥିଲା ମିଶ୍ର ବାବୁ ଓ ରୂପା ଭାଉଜଙ୍କ ଯୁକ୍ତି ଶୁଣିବାକୁ। ବେଳେ ବେଳେ ଆମ ଘରେ ବି ଏହି ଭଳି ଘଟଣା ଘଟେ। ମୋ ବୋଉ କୁହେ ଏ ସବୁ ଦେ ଦେଉଣି ଲୁଗା।ଫେରେଇ ହେବନି କି ପିନ୍ଧି ବି ହେବନି। ରଖିଥାଅ, ଆଉ କେଉଁଠି ମଡେଇଦେବ। ମୁଁ ସେଇ କଥା ରୂପା ଭାଉଜ ଓ ମିଶ୍ର ବାବୁଙ୍କ କହିଲି। ଉଭୟ କିଛି ସମୟ ନିରବ ରହିଲେ। ଶେଷରେ ରୂପା ଭାଉଜଙ୍କ ପ୍ରସ୍ତାବକୁ ମିଶ୍ର ବାବୁ ବି ଗ୍ରହଣ କଲେ। ରୂପା ଭାଉଜଙ୍କ ପ୍ରସ୍ତାବ ଥିଲା – ଶାଢ଼ୀଟି ନାଲି ରଙ୍ଗର ହୋଇଥିବାରୁ କୁମାର ପୂର୍ଣ୍ଣିମାକୁ ଗାଁ କୁ ଗଲାବେଳେ ଠାକୁରାଣୀ ମନ୍ଦିରରେ ଦେଇଦେବେ ଓ ପ୍ୟାଣ୍ଟ୍ ସାର୍ଟ କନା ରେ ତକିଆ ଖୋଳ କରିଦେବେ।ଯାହା ହେଉ ରୂପା ଭାଉଜ ଓ ମିଶ୍ର ବାବୁଙ୍କ ଭିତରୁ ମୁଁ କାହା ସପକ୍ଷରେ କହିବା ପୂର୍ବରୁ ସେମାନେ ସମସ୍ୟାର ସମାଧାନ କରିଦେଲେ।- ଝଗଡ଼ା ତ ସମାଧାନ ହୋଇଗଲା, ଏଥର ଟିକେ ଚା ମିଳିବ ତ? ମୋ କଥା ଶୁଣି ରୂପା ଭାଉଜ ତରତର ହୋଇ ରୋଷେଇ ଘରକୁ ଚାଲିଗଲେ।
ପ୍ରକାଶ ତ୍ରିପାଠୀ, ମୋ:୯୪୩୭୨୩୨୪୬୩

