ବଡ଼ମ୍ବା, (ଓଡ଼ିଶା ଲେଖା): କଟକ ଜିଲ୍ଲା ବଡ଼ମ୍ବା ସିଂହନାଥ ପୀଠରେ କବି ପ୍ରଭାକର ଓ ବ୍ୟଙ୍ଗ କବି ସତ୍ୟାନାଶଙ୍କ ଜନ୍ମୋତ୍ସବ ଉତ୍ସାହ ଓ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି। ଏହି ଅବସରରେ ବୈରାଗୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା ମୁଖ୍ୟ ବକ୍ତା, ବିଶ୍ୱନାଥ ମହାପାତ୍ର ସମ୍ମାନିତ ଅତିଥି ଏବଂ ନାରାୟଣ ଶୁକ୍ଳା ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ। କବି କମଳ ଜଗନ୍ନାଥ ବାରିକ ସଭାରେ ସଭାପତିତ୍ୱ କରିଥିଲେ।

ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ପରେ ପୋଡ଼ କାଟି ପାରମ୍ପରିକ ଭାବେ ଜନ୍ମୋତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ କବି ପ୍ରଭାକରଙ୍କ ‘ରୀତି ମଞ୍ଜୁଷା’, ଲକି ବେହେରାଙ୍କ ‘କୋଇଲି ଲୋ କୋଇଲି’ ଓ ‘ପ୍ରୀତି ଶତକ’ ସମେତ ନାଟ୍ୟକାର ତଥା ଗାଳ୍ପିକ ବିଶ୍ୱନାଥ ମହାପାତ୍ରଙ୍କ ‘କଥା କହିଲେ କାହାଣୀ’ ଗଳ୍ପ ପୁସ୍ତକ ଉନ୍ମୋଚିତ ହୋଇଥିଲା। ବିନାୟକ ମିଶ୍ର ସଭା ପରିଚାଳନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କବି ଓ କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ସାହିତ୍ୟ, ବ୍ୟଙ୍ଗ ଓ କବିତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

