ମହାକାର୍ତ୍ତିକକୁ ମହାସମାରୋହରେ ମହାଆନନ୍ଦରେ ପାଳିବା ପାଇଁ ବନ୍ଧୁଙ୍କ ଘରେ ଚାଲିଥାଏ ମହାଆୟୋଜନ। ଏହି ମହାନ କାର୍ଯ୍ୟରେ ଯୋଗଦେବା ପାଇଁ ବନ୍ଧୁ ଓ ବନ୍ଧୁ ପତ୍ନୀଙ୍କ ପକ୍ଷରୁ ମୋତେ ଥାଏ ମହାନିମନ୍ତ୍ରଣ। ଏଡ଼ାଇ ଦେବା ସମ୍ଭବ ନୁହେଁ। ଆମ ଭଳି ରାତ୍ରିଚର ସାମ୍ବାଦିକଙ୍କ ପାଇଁ ସନ୍ଧ୍ୟା ନିମନ୍ତ୍ରଣ ମାଳିକୁ ଛେଳି ଅଡୁଆ ଭଳି। ତଥାପି ସବୁ ମହାକାର୍ଯ୍ୟରୁ ଟିକେ ସମୟ ବାହାର କରି ଇଚ୍ଛା କରି ବନ୍ଧୁଙ୍କ ଘର ଆଡ଼େ ମୁହଁ ମାରି ଆସିଲେ ହୁଏତ ସମ୍ପର୍କଟା ଆଉ କିଛି ଦିନ ରେନ୍ୟୁ ହୋଇଯିବ। ତେଣୁ ସମୟ ବାହାର କରି ସନ୍ଧ୍ୟା ନ ହେବା ପୂର୍ବରୁ ବନ୍ଧୁଙ୍କ ଘରେ ପହଞ୍ଚି ଯାଇଥିଲି। ଅଗଣାରେ ଚାଲିଛି ରାସ ଉତ୍ସବ। ଘର ସାମ୍ନାରେ ଗ୍ରାମଦେବତୀଙ୍କ ମନ୍ଦିରରେ ପଢ଼ା ଚାଲିଛି ଭାଗବତର ଶେଷ ଅଧ୍ୟାୟ। ଆଉ କିଛି ସମୟ ପରେ ଏହା ବଢ଼଼ିବ। ଗ୍ରାମବାସୀଙ୍କ ସହଯୋଗରେ କାହିଁ କେଉଁ କାଳରୁ କୁଆଡେ ଚାଲୁଛି ଏହି ମହୋତ୍ସବ। ବନ୍ଧୁଙ୍କ ପିତାପ୍ରପିତାଙ୍କ ଅମଳରୁ ଏହି ଉତ୍ସବ ପାଳନ କରାଯାଉଛି ସେମାନଙ୍କ ମାର୍ଫତରେ। ବନ୍ଧୁ ତେଣୁ ସବୁ କାମ ପଛକୁ କରି ନିଜ ଖାନ୍ଦାନି ଇଜ୍ଜତ ରକ୍ଷା କରନ୍ତି ଏହି କାର୍ତ୍ତିକରେ। ଡଙ୍ଗା ଭସା, କାର୍ତ୍ତିକ ପାଳନ, ପୁଣି ଗାଁ ବୁଲା, ସବୁ କାମ ଏକା ଛୁଟିରେ ହୋଇଯାଉଥିବାରୁ ସପରିବାର ଏହି ଦିନଟିକୁ ମିସ୍ କରନ୍ତି ନାହିଁ। ତେଣୁ ସେହି ପାରିବାରିକ ବନ୍ଧୁ ମିଳନରେ ଏଥର ମୋତେ ସୁଯୋଗ ଦିଆଯାଇଛି ଦୁହିଁଙ୍କ ବୁଝାମଣାରେ। ଯାହା ହେଉ ଖୁସିର କଥା। କିନ୍ତୁ ଏହି ଖୁସିର ମାହୋଲ ବେଶି ସମୟ ରହିଲା ନାହିଁ ମୋ ପାଖରେ, ଯେତେବେଳେ ମୁଁ ପହଞ୍ôଚ ଯାଇଥିଲି ତାଙ୍କ ଘରେ। ବାହାରେ ସନ୍ଧ୍ୟାରେ ଗ୍ରାମବାସୀଙ୍କ ପାଇଁ ଅରୁଆ ଡାଲମାର ବ୍ୟବସ୍ଥା ଚାଲୁଥିବା ବେଳେ ଭିତରେ କିନ୍ତୁ ଥିଲା ଅଲଗା ପ୍ରକାର ଆୟୋଜନ। ବନ୍ଧୁ ଓ ବନ୍ଧୁ ପତ୍ନୀ ଗୋଟେ ଲମ୍ବା ଚିଠା ଧରି ଲାଗିପଡ଼ିଥାନ୍ତି ହିସାବରେ। ମୁଁ ଭାବିଲି ବୋଧେ କାର୍ତ୍ତିକ ଭୋଜିର ଖର୍ଚ୍ଚ ହିସାବ କରୁଛନ୍ତି। କିନ୍ତୁ କଥାଟା ଓଲଟା ଥିଲା। କାର୍ତ୍ତିକ ପାଇଁ ଘରକୁ ଆସିଛନ୍ତି ବନ୍ଧୁବାନ୍ଧବ। ସମ୍ପର୍କୀୟ, ଅସମ୍ପର୍କୀୟ ସବୁ ବନ୍ଧୁ, ଝିଅଝିଆଣି ଏହି ଗୋଟିଏ ଦିନ ଏକାଠି ହେଉଥିବାରୁ ସମସ୍ତଙ୍କୁ ଖୁସି କରିବାର ଭାର ଥାଏ ମୋ ବନ୍ଧୁଙ୍କ ଭଳି ସେକ୍ରେଟାରୀଏଟ୍ ସର୍ଭିସ ହୋଲଡରଙ୍କ ହାତରେ। ସବୁ ଭାଇ, ଭଉଣୀଙ୍କ ଫର୍ମାସୀକୁ ଏହି ଦିନ ପାଳନ କରିବାକୁ ବନ୍ଧୁ ଓ ବନ୍ଧୁ ପତ୍ନୀ ବେଶ ତତ୍ପର। ବାସ୍ତବରେ ଖୁସି ଲାଗିଲା। ହେଲେ ଚିଠାଟା ଦେଖିଲା ପରେ ମୁହଁଟା ଆମ୍ବିଳା ହୋଇଗଲା। ଭୁରୁଡ଼ା ମୁହଁ କରି ମୁଁ ବନ୍ଧୁ ଓ ବନ୍ଧୁ ପତ୍ନୀଙ୍କୁ ଚାହିଁରହିଲି। କ’ଣ ଗୋଟାଏ ଘଟିଗଲା ଭାବି ସେମାନେ ବି ମୋ ମୁହଁକୁ ଚାହିଁଲେ କିଛି ସମୟ। ତେବେ କିଛି ସମୟର ନିରବତା ଭାଙ୍ଗି ବନ୍ଧୁ ପତ୍ନୀ ପଚାରିଲେ କ’ଣ ହେଲା, ଏମିତି ଅଟକି ଗଲେ? ହିସାବ କ’ଣ ଭୁଲ କିଛି ହୋଇଛି କି ? ମୁଁ ଚିଠାଟାକୁ ଥରେ ଚାହିଁ ପୁଣି ଥରେ ବନ୍ଧୁଙ୍କୁ ଚାହିଁବାରୁ, ବନ୍ଧୁ ସବୁ ବୁଝିଗଲା ପରି କହିଲେ- ଓଃ ଏହି କଥା, ନାହିଁ କିଛି ନାହିଁ। ଏ ତ ବହୁତ କମ। ଆମର ଆହୁରି ଅଧିକ କ୍ୱାଣ୍ଟିଟ୍ର ଆସେ। ଏହି ଦରଦାମ୍ ଯୋଗୁଁ ଟିକେ କମାଇବାକୁ ପଡ଼ିଛି ଏ ବର୍ଷ। ତା’ ଛଡା ତୁ ତ ଜାଣୁ, ଏ ବର୍ଷ ବୋନସ୍ ସେମିତି କିଛି ମିଳି ନଥିଲା। ଯାହା ମିଳିଥିଲା ପିଲାଙ୍କ ଖର୍ଚ୍ଚରେ ସବୁ ଶେଷ। ତେଣୁ କୌଣସି ମତେ ଅଳ୍ପରେ ଚଳେଇ ନେବା ପାଇଁ ଆମେ ଦୁଇ ପ୍ରାଣୀ ମୀମାଂସା କରୁଥିଲୁ। କହିରଖେ, ଚିଠାରେ କ’ଣ ଥିଲା। ସେଥିରେ ଥିଲା ଗୋଟେ ଭୋଜିର କିଛି ସାମଗ୍ରୀ ଲିଷ୍ଟ। ଏହି ଯେମିତି ୧୦ କେଜି ମଟନ, ୧୫ କେଜି ଚିକେନ୍, ୫କେଜି ଭାକୁଡ଼ ମାଛ, ୨କେଜି ମସରୁମ୍, କେଜିଏ ପନିର୍, ଆଉ ଏ ସବୁ ପାଇଁ ଆବଶ୍ୟକ ମସଲା। ମୁଁ କିଛି କହିବା ପୂର୍ବରୁ ବନ୍ଧୁ କହିଲେ- ଆରେ କଥା କ’ଣ କି କାଲି ଗୁରୁବାର। ପୁଣି ମାର୍ଗଶୀର ଗୁରୁବାର। ଆମିଷ ବାରି ନୁହେଁ। ତେଣୁ ମାଇପେ କ’ଣ ଆମିଷ ଖାଇପାରିବେ? ତେଣୁ ସେମାନଙ୍କ ପାଇଁ ପନିର୍, ମସ୍ରୁମ୍ ବ୍ୟବସ୍ଥା କରୁଛୁ। ଆଉ ଆମେ ପୁରୁଷ ମେମ୍ବର ଓ ପିଲାମାନଙ୍କ ପାଇଁ ଏହି ମାଛମାଂସ ଗଣ୍ଡାଏ। ବନ୍ଧୁ ପତ୍ନୀ କହିଲେ, ଏତେ ଦିନ ପରେ ଛାଡ଼ଖାଇଟା ଆସିଛି। ତାକୁ ଟିକେ ସମସ୍ତଙ୍କ ସହ ଖୁସିରେ ପାଳିବା କଥା। କିଏ କୁଆଡ଼େ ଯେଝା କାମରେ ଯାଉଛନ୍ତି। ଏକାଠି କ’ଣ ବସିପାରୁଛୁ ନା ମାଛ ମାଂସ ଟିକେ ଏକାଠି କରି ଖାଇପାରୁଛି। ଦେଖୁନ ଏମିତି ବେଳାରେ ଏ ବର୍ଷ ଛାଡ଼ଖାଇଟା ପଡ଼ିଲା ଯେ, ଆମେ ମାଇପେ କେହି ବି ପାଟି ଟିକେ ଆଇଁଷ କରିପାରୁନୁ। ମୁଁ ୟାଙ୍କୁ କହୁଥିଲି ଛାଡ଼ଖାଇଟା ଯେମିତି ଯାହା କରୁଛ କର, ଶୁକ୍ରବାରକୁ ଆମ ପାଇଁ ମାଛ ମାଂସ ନିଶ୍ଚୟ ଆଣିବ। ପତିପତ୍ନୀଙ୍କ ହିସାବ ଆଉ ବରାଦ ଭିତରେ ମୁଁ ଏମିତି ହଜିଯାଇଥିଲି ଯେ, ଅଚାନକ ମୋ ନାକରେ ଡାଲମା ଛୁଙ୍କର ବାସ୍ନା ବାଜିବାରୁ ମୁଁ ଚିହିଁଙ୍କି ଉଠିଲି। ମନେ ପଡ଼ିଗଲା କାର୍ତ୍ତିକ ପୂର୍ଣ୍ଣିମା ଆଉ ହବିଷ୍ୟାନ୍ନର କଥା। ଗୋଟେ ପଟେ ଗ୍ରାମବାସୀଙ୍କୁ ପାଇଁ ଦେବୀ ପୀଠରେ ଚାଲୁଛି ଅରୁଆ ଡାଲମାରେ ବ୍ୟବସ୍ଥା। ଅନ୍ୟ ପଟେ ପର ଦିନ ପାଳିତ ହେବାକୁ ଥିବା ଆଇଁଷଖିଆ ଛାଡ଼ଖାଇକୁ କେମିତି ଧୂମଧାମରେ ପରିବାର ଭିତରେ ପାଳିହେବ ସେ ନେଇ ବନ୍ଧୁ ଦମ୍ପତିଙ୍କ ଆୟୋଜନ। ବାସ୍ତବରେ ମୋତେ ଭାରି ଆଚମ୍ବିତ ଲାଗିଲା ଏହି ଘଟଣାରେ। ଆମେ ମଣିଷ କେତେ ତଳକୁ ଆଜି ଖସିଯାଇଛୁ। ଦେବ ପୀଠ, ଦେବ କର୍ମରେ ଥିବା ବେଳେ ଆମ ମନ ଆଉ ବିବେକ ଚିନ୍ତା କରୁଛି ଅନ୍ୟଦିଗରେ। କାର୍ତ୍ତିକ ପୂର୍ଣ୍ଣିମାର ରାସ ଉତ୍ସବରେ ମନ ନ ରହି ରହୁଛି ଛାଡଖାଇ ଉପରେ। ଏଇଠି ପ୍ରଶ୍ନ ଉଠୁଛି କ’ଣଟା ଏମିତି ଆମେ ଛାଡ଼ିଥିଲେ ଯେ, ଧୂମଧାମରେ ଏହି ଛାଡ଼ଖାଇ ପାଳିବାର ଅଭିପ୍ରାୟ? ମାସ ସାରା ଆମିଷରେ ବୁଡ଼ି ରହିଲେ। ଛକରେ ଫାଷ୍ଟଫୁଡ୍ରେ ମନ ଦେଲେ। ଆଉ ମାସ ଶେଷରେ କିଛି ଖାଇନୁ ବୋଲି ବାହାନା କରି ଲୋକ ଦେଖାଣିଆ ଛାଡ଼ଖାଇ ପାଳିବାର ଅଭିନୟ। ପୁଣି ଆହୁରି ମଧ୍ୟ କାର୍ତ୍ତିକ ଆସିବ ବୋଲି ତା’ ପୂର୍ବରୁ ବେଶ ଧୂମଧାମରେ ପାଳିଲୁ ‘ଖାଇକି ଛାଡ଼୍’ ପର୍ବ। ଶହ ଶହ ଛେଳି କୁକୁଡ଼ାକୁ ବଳି ଦେଇ ମାଛମାଂସରେ ଦିନଟିଏ ଭାସିଗଲୁ। ଆଉ ମାସ ସାରା ବାହାନା କରି ସବୁ ଖାଇଲୁ। ପୁଣି ମାସ ଶେଷରେ କିଛି ଖାଇନୁ ବୋଲି ଏ ଛାଡ଼ଖାଇର ବାହାନା। ଆଜିକାଲି ତ ଗୁରୁବାର, ଶନିବାର, ମଙ୍ଗଳବାରର କିଛି ମାନେ ନାହିଁ। ସହରିଆଙ୍କ ପାଇଁ ସବୁବାର ସମାନ। ଖାଇଲେ ବାର ନାହିଁ, ନ ଖାଇଲେ ବାର। ସଞ୍ଜରେ ଫାଷ୍ଟଫୁଡ୍ ଦୋକାନକୁ ଦେଖିଲେ ମନେ ହୁଏ ସବୁ ଦିନ ବୋଧେ ଛୁଟିଦିନ। ଖାଲି ସହର ନୁହେଁ, ଏ ରୋଗ ଗାଁକୁ ବି କେବେ ଠାରୁ ଆକ୍ରାନ୍ତ କରିଗଲାଣି। ମନ୍ଦିର କିମ୍ବା ମେଳା ମହୋତ୍ସବକୁ ଗଲେ, ଆମେ ଭୋଗରାଗରେ ମନ ଦେଉନୁ, ବରଂ ଫେରିଲା ବେଳେ କେଉଁଠୁ ଭଲ ଫାଷ୍ଟଫୁଡ୍ ହେଉଛି, ସେ କଥା ଭାବି ଭାବି ଯାଉଛୁ। ବାଃ..ରେ ମଣିଷ। ସମାଜର ବେଶ ବୁଦ୍ଧିଆ ବୋଲି ତୋତେ ସମସ୍ତ ପୂଜା କରନ୍ତି। କିନ୍ତୁ ତୁ ତ ତୋ ବୁଦ୍ଧିରେ ଏତେ ଆଗେଇ ଗଲୁଣି ଯେ ସିଆଣିଆ କାଉଠାରୁ ବି ଊର୍ଦ୍ଧ୍ବ୍ୱର୍ରେ। ଶେଷରେ ଅତି ସିଆଣିଆ କାଉର ଯାହା ହୁଏ ଅବସ୍ଥା, ତାହା ବେଶି ଦୂର ନୁହେଁ ଯେ!
ଜୟଦେବ ଲେଙ୍କା, ମଉଦା, ମାହାଙ୍ଗା, କଟକ

