ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର କାର୍ଯ୍ୟରତ ଯୁବ ସାମ୍ବାଦିକ ମଧୁସୂଦନ ପରିଡ଼ାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ (୩୫)ଙ୍କୁ ଗିରଫ କରିଛି ରଣପୁର ପୋଲିସ। ଗୁରୁବାର ରାତିରେ ଭୁବନେଶ୍ୱରର ପଟିଆସ୍ଥିତ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ୍ ସ୍କୁଲ ପରିସରରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ପୋଲିସ ଘଟଣାର ପୁନଃନିର୍ମାଣ ବା ସିନ୍ ରିକ୍ରିଏସନ୍ କରାଇଥିବା ସୂଚନା ମିଳିଛି। ସୂଚନାନୁସାରେ, ଗତ ସେପ୍ଟେମ୍ବର ୧୫ ତାରିଖରେ ରଣପୁରର ଏକ ରାସନ ଦୋକାନରେ ସାମ୍ବାଦିକ ମଧୁସୂଦନ ପରିଡ଼ାଙ୍କୁ ପଛପଟୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜିତେନ ଓ ତାଙ୍କର କିଛି ସହଯୋଗୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଶ୍ରୀ ପରିଡ଼ାଙ୍କୁ ସ୍ଥାନୀୟ ଲୋକେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶଯ୍ୟା ଉପଲବ୍ଧ ନହେବାରୁ ସେ ସମ୍ ହସ୍ପିଟାଲରେ ପ୍ରାୟ ୨୦ ଦିନ ଧରି ଚିକିତ୍ସାଧୀନ ଥିଲେ। ଏହି ଘଟଣା ସମ୍ପର୍କରେ ଗତ ସେପ୍ଟେମ୍ବର ୧୭ ତାରିଖରେ ରଣପୁର ଥାନାରେ କେସ୍ ନମ୍ବର ୩୧୦/୨୬ରେ ମାମଲା ରୁଜୁ ହୋଇଥିଲା। ଘଟଣା ପରଠାରୁ ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ନେତୃତ୍ୱରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ଭୁବନେଶ୍ୱର ପଟିଆରୁ ଜିତେନଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ସବ୍-ଇନ୍ସପେକ୍ଟର ହାସିନା ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ମାମଲାରେ ମୋଟ ପାଞ୍ଚ ଜଣଙ୍କ ନାମ ରହିଛି। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଦୀନବନ୍ଧୁ ପଣ୍ଡା ଓ ବାସୁଦିଆ ଗ୍ରାମର କୃପାସିନ୍ଧୁ ପଣ୍ଡାଙ୍କ ନାମ ଥିବାବେଳେ ଅନ୍ୟ ଦୁଇ ଜଣଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି। ଅନ୍ୟ ସହଯୋଗୀମାନେ ଏଯାବତ୍ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଅଭିଯାନ ଜାରି ରଖିଛି। ଅଭିଯୁକ୍ତ ଜିତେନ ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି ଏବଂ ସେ ପୂର୍ବରୁ ଝାରପଡ଼ା ଜେଲ୍ରେ ରହିଥିବା କୁହାଯାଉଛି। ତାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଗୁରୁତର ଅଭିଯୋଗ ସମ୍ପର୍କରେ ମଧ୍ୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ, ଅଭିଯୁକ୍ତ ଜିତେନ ଭୁବନେଶ୍ୱରର ପଟିଆସ୍ଥିତ ଉକ୍ତ ବିଦ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତାଙ୍କ ନିଯୁକ୍ତି ପୂର୍ବରୁ ପୋଲିସ ଯାଞ୍ଚ କରାଯାଇଥିଲା କି ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଘଟଣାରେ ବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବାକୁ ରଣପୁର ଅଞ୍ଚଳବାସୀ ରାଜ୍ୟ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଥିବାବେଳେ, ଫେରାର ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି। ତତ ସହିତ ରଣପୁର ପୋଲିସର ଏଭଳି କାର୍ଯ୍ୟକୁ ସମ୍ବାଦିକ ମାନେ ପ୍ରଶଂସା କରିଛନ୍ତି ।

