ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୫୦ ଖଣ୍ଡ ଗ୍ରାମର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଡାକ୍ତରଙ୍କ ଅନିୟମିତତା ଯୋଗୁଁ ରୋଗୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଅନୁପସ୍ଥିତି ନେଇ ଅଭିଯୋଗ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଡା. ବି.ଏସ୍. ରାଓ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାନଭିନ୍ କରିଛନ୍ତି।ସୂଚନା ଅନୁସାରେ, ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଡ଼ ଶୁଭଶ୍ରୀ ମହାନ୍ତି ଏବଂ ଆୟୁଷ ଡାକ୍ତର ଜୁଲିଏଟ୍ ଦାଶ କାର୍ଯ୍ୟରତ ଅଛନ୍ତି। ତେବେ ଉଭୟ ଡାକ୍ତର ନିୟମିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁନଥିବା ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ। ଏପରିକି ମେଡିକାଲ ଅଫିସର ଡ଼ ଶୁଭଶ୍ରୀ ମହାନ୍ତି ରୋଗୀଙ୍କ ସହ ଦୁର୍ବ୍ୟବହାର କରୁଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ଉପସ୍ଥିତ ନଥିବା ଜାଣିବା ପରେ ସ୍ଥାନୀୟ ଜନପ୍ରତିନିଧି ଜନ୍ନାର୍ଦ୍ଦନ ଦଳବେହେରା ଓ ରାଜକିଶୋର ଦଳବେହେରା ଏନେଇ ସିଡିଏମ୍ଓଙ୍କୁ ଫୋନ୍ ଯୋଗେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସିଡିଏମ୍ଓ ଡ଼ ବି.ଏସ୍ ରାଓ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଯାଞ୍ଚ ସମୟରେ ଉଭୟ ଡାକ୍ତର କୌଣସି ଛୁଟି ଆବେଦନ ନକରି ଅନୁପସ୍ଥିତ ଥିବା ଜଣାପଡ଼ିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସିଡିଏମ୍ଓ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଗିଦ୍ କରିବା ସହ ଡ୍ୟୁଟି ଚାର୍ଟ ଲଗାଇବାକୁ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା ଡାକ୍ତରଙ୍କ ଉପସ୍ଥିତି ସମ୍ପର୍କରେ ରୋଗୀ ଓ ସାଧାରଣ ଲୋକେ ସ୍ପଷ୍ଟ ଭାବେ ଜାଣିପାରିବେ। ଅନ୍ୟପକ୍ଷରେ, ସ୍ଥାନୀୟ ବାସିନ୍ଦା ନୂତନ ଭାବେ ନିର୍ମିତ ସ୍ୱାସ୍ଥ୍ୟକେନ୍ଦ୍ର ଗୃହକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଡାକ୍ତର ସମସ୍ୟାର ସ୍ଥାୟୀ ସମାଧାନ କରିବା ଏବଂ ଡା. ଶୁଭଶ୍ରୀ ମହାନ୍ତିଙ୍କୁ ବଦଳି କରି ତାଙ୍କ ସ୍ଥାନରେ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତ କରିବାକୁ ସିଡିଏମ୍ଓଙ୍କ ନିକଟରେ ଦାବି ଜଣାଇଥିଲେ। ସମସ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସିଡିଏମ୍ଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଡାକ୍ତରଙ୍କ ଅନୁପସ୍ଥିତି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଅନୁମତି ବିନା ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି ଏବଂ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବା କେବେ ସ୍ୱାଭାବିକ ହେଉଛି, ତାହାକୁ ଏବେ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।

