ନୟାଗଡ଼, (ଓଡ଼ିଶା ଲେଖା): ଶିଶୁମାନଙ୍କ ମନୋରଞ୍ଜନ ଓ ଖେଳକୁଦ ପାଇଁ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନ ଏବେ ନିଜେ ଅବହେଳାର ଶିକାର। ନୟାଗଡ଼ ପୌର ପରିଷଦ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଦେବୋତ୍ତର କଲୋନୀସ୍ଥିତ ମିନି ଶିଶୁ ଉଦ୍ୟାନର ଦୁରବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ ରହିବା କଥା। କିନ୍ତୁ ଏହି ମିନି ପାର୍କରେ ମାତ୍ର ଦୁଇରୁ ତିନୋଟି ଖେଳ ସାମଗ୍ରୀ ରହିଥିବା ବେଳେ ସେଥିମଧ୍ୟରୁ କେତେକ ଭାଙ୍ଗିରୁଜି ଯାଇଛି। ଖସଡ଼ାର ସିଡ଼ି ଭାଙ୍ଗିଯାଇଥିବା ବେଳେ ଅନ୍ୟ ଏକ ଖେଳ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ଶିଶୁ ଉଦ୍ୟାନର ଉଭୟ ପାର୍ଶ୍ୱରେ ମାଟି ଦବିଯିବା ଫଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଖେଳିବା ସମୟରେ ଶିଶୁମାନେ ଏହି ଖାଲରେ ପଡ଼ି ଆହତ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ, ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗାଯାଇଥିବା ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ଭାଙ୍ଗିରୁଜି ଯାଇଥିବା ଅଭିଯୋଗ ହେଉଛି। ପରିତାପର ବିଷୟ, ଏହି ଶିଶୁ ଉଦ୍ୟାନଠାରୁ ୱାର୍ଡ କାଉନସିଲରଙ୍କ ବାସଭବନ ଓ ପୌର ପରିଷଦ ଅଧ୍ୟକ୍ଷାଙ୍କ ବାସଭବନ ମାତ୍ର ୧୫୦ ମିଟର ଦୂରରେ ରହିଛି। ତଥାପି ଉଦ୍ୟାନର ଏଭଳି ଦୁରବସ୍ଥା ସୁଧାରିବା ଦିଗରେ ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଉଦ୍ୟାନ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।ଦେବୋତ୍ତର କଲୋନୀର ଅନେକ ଶିଶୁ ଏହି ମିନି ପାର୍କ ଉପରେ ନିର୍ଭର କରୁଥିବାରୁ ଏହାର ଦୁରବସ୍ଥା ସେମାନଙ୍କ ଖେଳକୁଦ ଓ ସୁରକ୍ଷା ପ୍ରତି ଚିନ୍ତା ବଢ଼ାଇଛି। ତେଣୁ ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଏହି ଶିଶୁ ଉଦ୍ୟାନର ସ୍ଥିତି ଅନୁଧ୍ୟାନ କରି ଭାଙ୍ଗିଯାଇଥିବା ଖେଳ ସାମଗ୍ରୀର ମରାମତି, ନୂତନ ଖେଳ ଉପକରଣ ସ୍ଥାପନ, ମାଟି ଦବିଯାଇଥିବା ସ୍ଥାନର ମରାମତି ଓ ଆଲୋକୀକରଣ ବ୍ୟବସ୍ଥାର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।

