ଭୁବନେଶ୍ଵର, (ଓଡ଼ିଶା ଲେଖା): ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଐତିହାସିକ ସଫଳତା ହାସଲ କରିଛି। ଫାଇନାଲ୍ରେ ଶ୍ରୀଲଙ୍କାକୁ ୧୪୭ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରି ଭାରତ ଲଗାତାର ଦ୍ୱିତୀୟଥର ପାଇଁ ମହିଳା କ୍ରିକେଟ୍ରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣପଦକ ଜିତିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୬ ରନ୍ ସଂଗ୍ରହ କରିଥିଲା। ସ୍ମୃତି ମନ୍ଧାନା ୪୫ ବଲ୍ରୁ ୭୯ ରନ୍ର ଚମତ୍କାର ଇନିଂସ ଖେଳିଥିବା ବେଳେ ଶେଫାଳୀ ବର୍ମା ୪୮ ରନ୍ କରିଥିଲେ। ଶେଷ ଭାଗରେ ରିଚା ଘୋଷ ମାତ୍ର ୨୨ ବଲ୍ରୁ ଅପରାଜିତ ୪୯ ରନ୍ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ୨୧୭ ରନ୍ର ବିଜୟଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ସାମ୍ନା କରିପାରିନଥିଲା। ଦଳ ମାତ୍ର ୬୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦୀପ୍ତି ଶର୍ମା ୩ଟି ୱିକେଟ୍ ନେଇଥିବା ବେଳେ ଶେଫାଳୀ ବର୍ମା ୨ଟି ୱିକେଟ୍ ହାସଲ କରିଥିଲେ। ଏହି ବିଜୟ ସହ ଭାରତ ଏସିଆନ୍ ଗେମ୍ସ ୨୦୨୬ରେ ନିଜର ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଦଳର ଦମଦାର ବ୍ୟାଟିଂ ଓ ଶୃଙ୍ଖଳିତ ବୋଲିଂ ଭାରତକୁ ଏହି ବିଶାଳ ବିଜୟ ଦେଇଛି। ଏହି ଐତିହାସିକ ସଫଳତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଦଳର ଅସାଧାରଣ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଥିବା ସେ ଉଲ୍ଲେଖ କରିବା ସହ ଆଗାମୀ ଦିନରେ ମଧ୍ୟ ଭାରତୀୟ ମହିଳା ଦଳ ଏହି ସଫଳତାର ଧାରା ଜାରି ରଖୁ ବୋଲି ଶୁଭକାମନା ଜଣାଇଛନ୍ତି।
ଶ୍ରୀଲଙ୍କାକୁ ୧୪୭ ରନ୍ରେ ହରାଇ ଲଗାତାର ଦ୍ୱିତୀୟଥର ସ୍ୱର୍ଣ୍ଣପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ୍ ଦଳ : ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

