ନୟାଗଡ଼, (ଓଡ଼ିଶା ଲେଖା): ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଓଡ଼ିଆ ବିଭାଗର ୩ ଜଣ ଗବେଷଣାରତ ଛାତ୍ରଛାତ୍ରୀ ଦାଶରଥି ପଟ୍ଟନାୟକ ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସେଠାରେ ସଂରକ୍ଷିତ ପୁରାତନ ଓ ଦୁର୍ଲଭ ତାଳପତ୍ର ପୋଥିରୁ ବିଭିନ୍ନ ଗବେଷଣା ତଥ୍ୟ ସଂଗ୍ରହ କରିଛନ୍ତି। ଗବେଷକମାନେ ‘ଅନୁବାଦ ସାହିତ୍ୟ ଓ ସମକାଳୀନ ଓଡ଼ିଆ ନାଟକରେ ସାମାଜିକ ବାସ୍ତବତା’ ବିଷୟରେ ଗବେଷଣା କାର୍ଯ୍ୟ ପାଇଁ ପୋଥି ଓ ପୁରାତନ ସାହିତ୍ୟ ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ।

ଦୁର୍ଲଭ ପୁସ୍ତକ ଓ ତାଳପତ୍ର ପୋଥି ଅଧ୍ୟୟନ କରିବାର ସୁଯୋଗ ପାଇ ଗବେଷକ ଛାତ୍ରଛାତ୍ରୀମାନେ ଆନନ୍ଦ ପ୍ରକାଶ କରିଥିଲେ।ଏହି ଅବସରରେ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ ଦାଶରଥି ପଟ୍ଟନାୟକ, ଅର୍ଥାତ୍ ‘ଦାସିଆ ଅଜା’ଙ୍କ ଅସାଧାରଣ ସାଧନା, ସଂଗ୍ରହ ମନୋଭାବ ଏବଂ ବିଶ୍ୱବିଦିତ କୀର୍ତ୍ତି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଦାସିଆ ଅଜାଙ୍କ ଜୀବନ, ସାହିତ୍ୟ ଓ ସଂଗ୍ରହ କାର୍ଯ୍ୟର ଅନନ୍ୟ ଅବଦାନ ବିଷୟରେ ଜାଣି ଗବେଷକମାନେ ଉତ୍ସାହିତ ହୋଇଥିଲେ। ପୁରାତନ ସାହିତ୍ୟ ସମ୍ପଦର ସଂରକ୍ଷଣ ଓ ଗବେଷଣା କ୍ଷେତ୍ରରେ ଏଭଳି ପରିଦର୍ଶନ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପଯୋଗୀ ବୋଲି ମତ ପ୍ରକାଶ ପାଇଛି।

