ନୂଆଦିଲ୍ଲୀ, (ଓଡ଼ିଶା ଲେଖା): ମଝି ଆକାଶରେ ଭୟଙ୍କର ଘଟଣାର ସମ୍ମୁଖୀନ ହୋଇଥିବା ଦୁବାଇ-ତେଲ୍ ଆଭିଭ୍ ଅଭିମୁଖୀ ଫ୍ଲାଏଦୁବାଇ ବିମାନକୁ ସମ୍ଭାବ୍ୟ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସିକତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଭାରତୀୟ ପାଇଲଟଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି। ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ଫ୍ଲାଏଦୁବାଇର FZ1073 ବିମାନ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ବେଳେ କକ୍ପିଟ୍ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, ଓମାନୀ ସହ-ପାଇଲଟ୍ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଛୁରିରେ ଆକ୍ରମଣ କରିବା ପରେ ବିମାନର ନିୟନ୍ତ୍ରଣ ନେବାକୁ ଚେଷ୍ଟା କରିଥିଲେ। ବିମାନଟି ହଠାତ୍ ଦ୍ରୁତ ଭାବେ ତଳକୁ ଖସିଥିବା ଜଣାପଡ଼ିଛି। ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପ୍ଟେନ୍ ମଚ୍ଛାର ନିଜକୁ ସମ୍ଭାଳି କକ୍ପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାପରେ କିଛି ଯାତ୍ରୀ ଓ ଅନ୍ୟ ପାଇଲଟ୍ କକ୍ପିଟ୍ରେ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ପରେ ବିମାନଟି ସାଉଦି ଆରବର ତାବୁକ୍ରେ ଜରୁରୀ ଅବତରଣ କରିଥିଲା। ବିମାନରେ ୧୭୪ ଜଣ ଥିବା ରିପୋର୍ଟ ହୋଇଛି। ଏହି ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସକୁ ପ୍ରଶଂସା କରି ତାଙ୍କୁ ‘ହିରୋ’ ବୋଲି କହିଥିଲେ। ତାଙ୍କ ତତ୍ପରତା ଓ ସାହସ ଯୋଗୁଁ ବଡ଼ ଅଘଟଣ ଟଳିଥିବା କୁହାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ Xରେ ପୋଷ୍ଟ କରି କ୍ୟାପ୍ଟେନ୍ ମଚ୍ଛାରଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଛନ୍ତି। ଏପରି ସାହସିକତା ପାଇଁ ଭାରତ ଗର୍ବିତ ବୋଲି ସେ ଉଲ୍ଲେଖ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଘଟଣାର ପ୍ରକୃତ କାରଣ ଓ ସହ-ପାଇଲଟଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ଜାରି ରହିଛି। ଇସ୍ରାଏଲ, ୟୁଏଇ ଓ ସାଉଦି ଆରବର କର୍ତ୍ତୃପକ୍ଷ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛନ୍ତି।

