ନୟାଗଡ଼, (ଓଡ଼ିଶା ଲେଖା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ କାନାରା ବ୍ୟାଙ୍କର ବଡ଼ପଣ୍ଡୁସର ଶାଖା ବିରୋଧରେ ଗୁରୁତର ଅଭିଯୋଗ ଉଠିଛି। ଗୋଷ୍ଠୀ ପକ୍ଷରୁ ୧୩ ଲକ୍ଷ ୩୦ ହଜାର ଟଙ୍କା ଉଠାଣ ପାଇଁ ଆବେଦନ କରାଯାଇଥିବା ବେଳେ ବ୍ୟାଙ୍କ ପାସ୍ବୁକ୍ ଓ ମୋବାଇଲ୍କୁ ଆସିଥିବା ସୂଚନାରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଋଣ ଉଠାଯାଇଥିବା ଦର୍ଶାଯାଇଥିବା ଗୋଷ୍ଠୀର ସଦସ୍ୟାମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ୯ ହଜାର ଟଙ୍କାର ହିସାବ ଏବେ ସନ୍ଦେହ ଘେରରେ ରହିଛି। ସୂଚନା ଅନୁସାରେ, ନୟାଗଡ଼ ସଦର ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅନ୍ତର୍ଗତ ଖେଡ଼ବାରଣା ଗ୍ରାମର ମା’ ମଙ୍ଗଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗତ ଚାରି ବର୍ଷ ଧରି ବ୍ୟାଙ୍କରୁ ଋଣ ନେଇ ନିୟମିତ ଭାବେ ପରିଶୋଧ କରିଆସୁଥିଲେ। ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ଲକ୍ଷ୍ୟରେ ଋଣ ନେଇ ବିଭିନ୍ନ କାର୍ଯ୍ୟରେ ତାହାକୁ ବିନିଯୋଗ କରୁଥିଲେ। ଗୋଷ୍ଠୀର ୧୯୦ତମ ଅଧିବେଶନବୈଠକରେ ପୂର୍ବ ଋଣ ପରିଶୋଧ କରିବା ସହ ପୁନର୍ବାର ୧୫ ଲକ୍ଷ ଟଙ୍କା ଋଣ ନେବା ନେଇ ଆଲୋଚନା ହୋଇଥିଲା। ପୂର୍ବ ବକେୟା ଋଣ ଶୁଝିବା ପରେ ୧୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇବା ପାଇଁ ଗୋଷ୍ଠୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗରେ କୁହାଯାଇଛି। ଏହି ଋଣ ପାଇଁ ବ୍ୟାଙ୍କ ପକ୍ଷରୁ ଅନୁମୋଦନ ମିଳିଥିବା ମଧ୍ୟ ଗୋଷ୍ଠୀ ସଦସ୍ୟାମାନେ କହିଛନ୍ତି।ଗତ ସେପ୍ଟେମ୍ବର ୧୮ ତାରିଖରେ ଗୋଷ୍ଠୀର ମହିଳାମାନେ ବଡ଼ପଣ୍ଡୁସରସ୍ଥିତ କାନାରା ବ୍ୟାଙ୍କ ଶାଖାକୁ ଯାଇଥିଲେ। ସେଠାରେ ନିଯୁକ୍ତ ବ୍ୟାଙ୍କ ମିତ୍ର ସଂଯୁକ୍ତା ମହାନ୍ତିଙ୍କ ସହଯୋଗରେ ଋଣ ଉଠାଣ ଫର୍ମ ପୂରଣ କରାଯାଇଥିଲା। ଫର୍ମରେ ଇଂରାଜୀ ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ସ୍ପଷ୍ଟ ଭାବେ ୧୩ ଲକ୍ଷ ୩୦ ହଜାର ଟଙ୍କା ଲେଖାଯାଇଥିବା ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି। ପରେ ବ୍ୟାଙ୍କ କର୍ମଚାରୀ ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ଋଣ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟାଙ୍କ ପାସ୍ବୁକ୍ ଓ ମୋବାଇଲ୍କୁ ଆସିଥିବା ସୂଚନାରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଋଣ ଉଠାଯାଇଥିବା ଜାଣିବା ପରେ ସଦସ୍ୟାମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଆବେଦନ କରାଯାଇଥିବା ରାଶି ଓ ରେକର୍ଡରେ ଦର୍ଶାଯାଇଥିବା ରାଶି ମଧ୍ୟରେ ୯ ହଜାର ଟଙ୍କାର ପାର୍ଥକ୍ୟ କିପରି ହେଲା, ତାହାକୁ ନେଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାର କାରଣ ଜାଣିବା ପାଇଁ ଗୋଷ୍ଠୀର ସଦସ୍ୟାମାନେ ବ୍ୟାଙ୍କ ଓ ବ୍ୟାଙ୍କ ମିତ୍ରଙ୍କ ସହ ଯୋଗାଯୋଗ କରିଥିଲେ। ସୋମବାର ବ୍ୟାଙ୍କକୁ ଆସିବାକୁ କୁହାଯାଇଥିବା ବେଳେ ସେଠାରେ ପହଞ୍ଚିବା ପରେ ଶାଖା ପରିଚାଳକଙ୍କ ଠାରୁ ଉପଯୁକ୍ତ ସହଯୋଗ ମିଳିନଥିବା ଏବଂ ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏ ସମ୍ପର୍କରେ ବଡ଼ପଣ୍ଡୁସର କାନାରା ବ୍ୟାଙ୍କ ଶାଖା ପରିଚାଳକ ପ୍ରମଥେଶ ମିଶ୍ରଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବା ଏବଂ ପରେ ମୋବାଇଲ୍ ଫୋନ୍ ଅଫ ଥିବା ଜଣାପଡିଛି । ଏହା ସହିତ, ଗୋଷ୍ଠୀର ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିବା ପରେ କିଛି ଦିନ ମଧ୍ୟରେ ସ୍ୱୟଂଚାଳିତ ଭାବେ ଟଙ୍କା କଟିଯାଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ଏହି ଦେଣନେଣ କେଉଁ କାରଣରୁ ହେଉଛି ଏବଂ ଏଥିପାଇଁ କେଉଁ ନିୟମ ଲାଗୁ ହେଉଛି, ତାହାର ସ୍ପଷ୍ଟତା ଆବଶ୍ୟକ ବୋଲି ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି।ତେବେ ଋଣ ଉଠାଣ ଫର୍ମ, ବ୍ୟାଙ୍କ ରେକର୍ଡ ଓ ଆକାଉଣ୍ଟ ଷ୍ଟେଟମେଣ୍ଟ ଯାଞ୍ଚ ପରେ ହିଁ ଏହି ୯ ହଜାର ଟଙ୍କାର ପାର୍ଥକ୍ୟର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ। ତେଣୁ ସମ୍ପୃକ୍ତ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବେ କି ନାହିଁ, ତାହା ଏବେ ଦେଖିବାକୁ ବାକି ରହିଲା। କେବଳ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ନୁହେଁ, ଏମିତିକି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ବ୍ୟାଙ୍କରେ ବିଭିନ୍ନ ପ୍ରକାରର ଦୁର୍ବବ୍ୟହାର ଶିକାର ହେଉଥିବା ଜଣାପଡିଛି । ତେଣୁ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଲିଡ଼ ବ୍ୟାଙ୍କ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

