ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଦଶପଲ୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ନଂ-୨୩/୨୦୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ସୂଚନାନୁସାରେ, ସେପ୍ଟେମ୍ବର ୧୦ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଦଶପଲ୍ଲା ଥାନା ଅଧୀନ ୫୭ନଂ ଜାତୀୟ ରାଜପଥର ମସାଣି ଛକ ନିକଟସ୍ଥ ରଥଗାଁ-ନରସିଂହପୁର ଅଞ୍ଚଳରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ନେଇ ଖବର ପାଇଥିଲା ପୋଲିସ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ ମୃତକଙ୍କ ପରିଚୟ ମିଳିପାରିନଥିଲା। ପରେ ମୃତଦେହକୁ ସୁରକ୍ଷିତ ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରଖାଯାଇଛି। ସେପ୍ଟେମ୍ବର ୧୧ ତାରିଖରେ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାଥମିକ ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ମୃତକଙ୍କ ପରିଚୟ ସମ୍ପର୍କରେ କାହାରି ସୂଚନା ଥିଲେ ଦଶପଲ୍ଲା ଥାନା ପୁଲିସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

