ନୟାଗଡ଼, (ଓଡ଼ିଶା ଲେଖା): ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟସେବା ଓ ସରକାରୀ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ନୟାଗଡ଼ ବ୍ଲକ୍ର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ବ୍ଲକ୍ର ୨୯ଟି ପଞ୍ଚାୟତରୁ ମୋଟ ୧୩୦ ଜଣ ପଞ୍ଜୀକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଶିବିରରେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବିଡିଓ ଐଶ୍ୱର୍ଯ୍ୟା ଭୂୟାଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶିବିରର ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ। ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ବିଭିନ୍ନ ବିଭାଗରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଅସ୍ଥିଶଲ୍ୟ ବିଭାଗରେ ୪୪ ଜଣ, ଶ୍ରବଣବାଧିତ ବିଭାଗରେ ୩୯ ଜଣ, ଦୃଷ୍ଟିବାଧିତ ବିଭାଗରେ ୩୩ ଜଣ, ମାନସିକ ଅନଗ୍ରସର ବିଭାଗରେ ୯ ଜଣ ଏବଂ ବହୁବିଧ ଭିନ୍ନକ୍ଷମ ବିଭାଗରେ ୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଅବସରରେ ୨ ଜଣ ହିତାଧିକାରୀଙ୍କୁ ହ୍ୱିଲ୍ଚେୟାର ଏବଂ ୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରୀତମ କୁମାର ମହାରଣା ପରିଚାଳନା କରିଥିବାବେଳେ ଶୁଭସ୍ମିତା ବରାଡ଼ ଓ ସରୋଜ କୁମାର ବେହେରା ସହଯୋଗ କରିଥିଲେ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଓ ସରକାରୀ ସୁବିଧା ଯୋଗାଇଦେବା ଦିଗରେ ଏହି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି।

