ନୟାଗଡ଼, (ଓଡ଼ିଶା ଲେଖା): ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ନେଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ବଢ଼ିଥିବା ବେଳେ ପ୍ରଚାରର ଶେଷ ଦିନରେ ଅନ୍ଧାରି ବିଜେକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ଓ ତାଙ୍କ ଧର୍ମପତ୍ନୀ ସାରଦା କୁମାରୀ ସାହୁ ପ୍ରାୟ ଏକ ଘଣ୍ଟା ଧରି ଅଟକ ରହିଥିବା ଅଭିଯୋଗ ହୋଇଛି। ପରେ କିଶୋର ସାହୁ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ମତଦାନ ଆରମ୍ଭ ହେବାକୁ ଥିବାରୁ ପ୍ରଚାର ଶେଷ ହେବା ପରେ ବିଭିନ୍ନ ଛାତ୍ର ସଂଗଠନର ସମର୍ଥକମାନେ ଅନ୍ଧାରି ବିଜେରେ ଲାଗିପଡ଼ିଥିଲେ। ଏହି ସମୟରେ ଦେବୋତ୍ତର କଲୋନୀର ଏକ ଘରୋଇ ହଷ୍ଟେଲକୁ ଏବିଭିପି ସମର୍ଥିତ କିଛି ନେତା ଯାଇ ଟଙ୍କା ବଣ୍ଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଶପଥ କରାଉଥିବା ନେଇ ଅଭିଯୋଗ ଉଠିଥିଲା। ଏହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡରୁ ହାତାହାତି ପରିସ୍ଥିତି ଉପୁଜିଥିବା କୁହାଯାଉଛି।

ଅଭିଯୋଗ ଅନୁସାରେ, ଏହି ସମୟରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ଓ ତାଙ୍କ ପତ୍ନୀ ଯାଉଥିବା ଗାଡ଼ିକୁ ଅଟକାଇ କାହିଁକି ଛାତ୍ର ଛାତ୍ରୀ ମାନଙ୍କୁ ଟଙ୍କା ବାଣ୍ଟୁଥିବା ନେଇ ପ୍ରଶ୍ନ କରାଯାଇଥିଲା। ଉଭୟଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଅଟକ ରଖାଯାଇଥିବା ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ପରବର୍ତ୍ତୀ ସମୟରେ ବିଜେପିର ଛାତ୍ର ନେତା ଘଟଣାସ୍ଥଳରେ ପହଞ୍ଚିବା ପରେ କିଶୋର ସାହୁ ସେଠାରୁ ଚାଲିଯାଇଥିବା ବେଳେ ତାଙ୍କ ପତ୍ନୀ ସେଠାରେ ରହିଯାଇଥିବା କୁହାଯାଉଛି। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଏସ୍ଡିପିଓ ସୃଷ୍ଟି ପ୍ରଧାନ ଓ ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲେ। ଅନ୍ୟପକ୍ଷରେ, ପୋଲିସ ଉପସ୍ଥିତିରେ ବିଜେପି ଯୁବମୋର୍ଚ୍ଚାର ଜଣେ ସଭାପତି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାକୁ ନିନ୍ଦା କରିଥିବା ଜଣାପଡ଼ିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଏଭଳି ଘଟଣା ନୟାଗଡ଼ ମହାବିଦ୍ୟାଳୟର ରାଜନୈତିକ ପରିବେଶକୁ ଅଧିକ ସରଗରମ କରିଛି। ତେବେ ଟଙ୍କା ବଣ୍ଟନ, ଅଟକ ରଖିବା ଓ ମହିଳାଙ୍କୁ ଦୁର୍ବ୍ୟବହାର ସମ୍ପର୍କିତ ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ଏନେଇ ପୋଲିସର ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିଲେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ଏମିତିକି ବିଜେପି ଛାତ୍ର ନେତା ମାନେ ଜଣେ ମହିଳା ନେତ୍ରୀଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

