ଭଞ୍ଜନଗର, (ଓଡ଼ିଶା ଲେଖା): ରୋଗୀଙ୍କୁ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚାଇବା ସହ ଜରୁରୀକାଳୀନ ସମୟରେ ଜୀବନ ରକ୍ଷାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୀବ୍ର ଖରା, ବର୍ଷା କିମ୍ବା ଶୀତକୁ ଖାତିର ନକରି ସେମାନେ ନିରନ୍ତର ରୋଗୀ ସେବାରେ ନିୟୋଜିତ ରହିଥାନ୍ତି। ଏହିଭଳି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସମ୍ମାନ ଜଣାଇ ଭଞ୍ଜନଗରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତ୍ରିରଙ୍ଗା ମିଡ଼ିଆ ପକ୍ଷରୁ ‘ସେବା ସମ୍ମାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଭଞ୍ଜନଗର ମେଡିକାଲ ପରିସରରେ ଆୟୋଜିତ ଏହି ସମ୍ମାନ ସମାରୋହରେ ୯ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଉପଢୌକନ, ମାନପତ୍ର, ଶୁଖିଲା ଖାଦ୍ୟ ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ରୋଗୀଙ୍କୁ ନିରାପଦରେ ହସ୍ପିଟାଲକୁ ଆଣିବା ଓ ନେବା ଦାୟିତ୍ୱ ତୁଲାଉଥିବା ଏହି କର୍ମଚାରୀମାନେ ନିଜସ୍ୱ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ କର୍ତ୍ତବ୍ୟରେ ଅବହେଳା ନକରି ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଆସୁଛନ୍ତି। ସେମାନଙ୍କ ଏହି ନିଷ୍ଠା ଓ ସେବା ମନୋଭାବକୁ ସମ୍ମାନ ଜଣାଇବା ହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ତ୍ରିରଙ୍ଗା ମିଡ଼ିଆର ଏଭଳି ପଦକ୍ଷେପକୁ ଆମ୍ବୁଲାନ୍ସ କର୍ମଚାରୀମାନେ ସ୍ୱାଗତ କରିବା ସହ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ। ସମାଜ ପାଇଁ ନିରବରେ ସେବା କରିଆସୁଥିବା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଆଗାମୀ ଦିନରେ ମଧ୍ୟ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି।
ରିପୋର୍ଟ: ରବି ନାରାୟଣ ଦାଶ

