ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମୁଖ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ଅଭିଯୋଗ ଦାଖଲ କରିଥିଲେ। ଶିବିରରେ ମୋଟ ୧୮୬ଟି ପିଟିସନ୍ ଗ୍ରହଣ କରାଯାଇଥିବାବେଳେ, ସେଥିମଧ୍ୟରୁ ୧୬୬ଟି ବ୍ୟକ୍ତିଗତ ମାମଲା, ୮ଟି ଗାଁ ସମ୍ପର୍କିତ ସମସ୍ୟା ଏବଂ ୧୨ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ସମ୍ପର୍କିତ ଆବେଦନ ରହିଥିଲା। ରେଡକ୍ରସ୍ ସମ୍ପର୍କିତ କୌଣସି ଆବେଦନ ଆସିନଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୫୯ଟି ମାମଲାର ସମାଧାନ/ନିଷ୍ପତ୍ତି କରାଯାଇଥିବା ସୂଚନା ମିଳିଛି। ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବା ସହ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ। ଏହି ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର୍, ଅତିରିକ୍ତ ଜିଲ୍ଲାପାଳ ବିଜୟ ନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜୀନା ଦାଶଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ପ୍ରଶାସନକୁ ଲୋକଙ୍କ ନିକଟତର କରିବାରେ ଏଭଳି ଜନଅଭିଯୋଗ ଶୁଣାଣି ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

