ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟର ସରକାରୀ ଡାକ୍ତରଖାନାରେ ଗର୍ଭବତୀ ମହିଳା ଓ ସାଧାରଣ ରୋଗୀଙ୍କ ପାଇଁ ନିୟମିତ ଅଲଟ୍ରାସାଉଣ୍ଡ ସେବା ଯୋଗାଇଦେବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସରକାରୀ ଡାକ୍ତରଖାନାରେ ନିୟମିତ ଅଲଟ୍ରାସାଉଣ୍ଡ ସୁବିଧା ଉପଲବ୍ଧ ନଥିବାରୁ ଗର୍ଭବତୀ ମହିଳା ଓ ଗରିବ ରୋଗୀମାନେ ବାଧ୍ୟହୋଇ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ଯାଉଛନ୍ତି। ସେଠାରେ ଗୋଟିଏ ଅଲଟ୍ରାସାଉଣ୍ଡ ପାଇଁ ପ୍ରାୟ ୧,୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ ହେଉଥିବାରୁ ଗରିବ ଓ ଗ୍ରାମାଞ୍ଚଳର ରୋଗୀମାନେ ଆର୍ଥିକ ଭାବେ ହଇରାଣ ହେଉଛନ୍ତି। କଂଗ୍ରେସର ଅଭିଯୋଗ ଅନୁଯାୟୀ, ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସରକାରୀ ଚିକିତ୍ସାଳୟରେ ଗର୍ଭବତୀଙ୍କ ପାଇଁ ସରକାରୀ ବ୍ୟବସ୍ଥାରେ ଅଲଟ୍ରାସାଉଣ୍ଡ ସୁବିଧା ଥିବାବେଳେ ନୟାଗଡ଼ ଜିଲ୍ଲାବାସୀ ଏହି ମୌଳିକ ସେବାରୁ ବଞ୍ଚିତ ହେବା ଚିନ୍ତାଜନକ।

ମାଗଣା ଚିକିତ୍ସା ନେଇ ସରକାର ବିଭିନ୍ନ ପ୍ରଚାର କରୁଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ଘରୋଇ କେନ୍ଦ୍ରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବା ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ବୋଲି କଂଗ୍ରେସ କହିଛି। ଦାବିପତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ବ୍ଲକ ହସ୍ପିଟାଲରେ PCPNDT ଆଇନ ଓ ସମସ୍ତ ବୈଧାନିକ ନିୟମ ପାଳନ କରି ତୁରନ୍ତ ନିୟମିତ ଅଲଟ୍ରାସାଉଣ୍ଡ ଏବଂ ଆବଶ୍ୟକ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦାବି କରାଯାଇଛି।ଆସନ୍ତା ଏକ ସପ୍ତାହ ମଧ୍ୟରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପାଇଁ ଅଲଟ୍ରାସାଉଣ୍ଡ ସେବା ଏବଂ ଏକ ମାସ ମଧ୍ୟରେ ସମସ୍ତ ବ୍ଲକ ହସ୍ପିଟାଲରେ ଏହି ସେବା ସ୍ୱାଭାବିକ କରାନଗଲେ ଜିଲ୍ଲାବ୍ୟାପୀ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଜନଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଉନ୍ନତ ଜ୍ଞାନକୌଶଳଯୁକ୍ତ ଅଲଟ୍ରାସାଉଣ୍ଡ ମେସିନ ଥିବା ସତ୍ତ୍ୱେ ତାହା କାର୍ଯ୍ୟକ୍ଷମ ନହୋଇ ପଡ଼ିରହିବା ଦୁର୍ଭାଗ୍ୟଜନକ। ଏହା ସହିତ ସୋନୋଲଜିଷ୍ଟ ତଥା ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଦିନେଶ ଖଟୁଆଙ୍କୁ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକରେ ସେବା ଦେବା ପାଇଁ ସିଡିଏମ୍ଓଙ୍କ ପକ୍ଷରୁ ଏନ୍ଓସି ସୁପାରିଶ କରାଯିବା ମଧ୍ୟ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ହାସୀମ ଖାଁ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ବ୍ରଜକିଶୋର ଲେଙ୍କା, ବୁଲୁ ପରିଡ଼ା ଓ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

