ବଡ଼ମ୍ବା, (ଓଡ଼ିଶା ଲେଖା): “ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର” ଉକ୍ତିକୁ ସ୍ମରଣ କରି ଗୁରୁଦିବସ ଅବସରରେ ଗୁରୁଙ୍କ ପ୍ରତି ଅନନ୍ୟ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଛନ୍ତି ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା। କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରତାପାଟସ୍ଥିତ ହାଇସ୍କୁଲ ପରିସରରେ ଏହି ଅବସରରେ ଏକ ବିଶାଳ ଶିକ୍ଷକ ସମାବେଶ ଆୟୋଜିତ ହୋଇଥିଲା। ସମାବେଶରେ ବିଧାୟକ ଶିକ୍ଷକମାନଙ୍କୁ ଆଳତି କରି ଗୁରୁପୂଜନ କରିବା ସହ ସେମାନଙ୍କ ଆଶୀର୍ବାଦ ନେଇଥିଲେ। ଗୁରୁଙ୍କ ପ୍ରତି ବିଧାୟକଙ୍କ ଏଭଳି ଶ୍ରଦ୍ଧା ଓ ସମ୍ମାନ ଉପସ୍ଥିତ ଶିକ୍ଷକ ଓ ଅତିଥିମାନଙ୍କ ମନ ଜିଣିଥିଲା।

ଏହି ଅବସରରେ ୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ୨୦୦ ଜଣ ଶିକ୍ଷକଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ବିଧାୟକ। ଶିକ୍ଷକ କଳିଙ୍ଗ କେଶରୀ ମହାଳିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶକୁ ଶିକ୍ଷକ ଅଶୋକ କୁମାର ଧଳ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷାର ବିକାଶ ସହ ସୁସ୍ଥ ଓ ସୁଦୃଢ଼ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ଗୁରୁଦିବସ ଅବସରରେ ବଡ଼ମ୍ବା ରତାପାଟରେ ଆୟୋଜିତ ଏଭଳି ବ୍ୟାପକ ଶିକ୍ଷକ ସମ୍ମାନ କାର୍ଯ୍ୟକ୍ରମ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

