ନୟାଗଡ଼, (ଓଡ଼ିଶା ଲେଖା): ଗୁରୁ ଦିବସ ଅବସରରେ ‘ଗିଭ ବ୍ଲଡ୍ ସେଭ୍ ଲାଇଫ୍’ ପକ୍ଷରୁ ଇଟାମାଟିସ୍ଥିତ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ଉତ୍ସବ ଶନିବାର ପାଳିତ ହୋଇଛି। ଏହି ଅବସରରେ ଇଟାମାଟି ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୧୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ, ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସମେତ ଇଟାମାଟି ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ସଂଘର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏଥିରେ ସାମିଲ ହୋଇଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କୁମାର ସାହୁ ସୁଲଳିତ ସ୍ୱରରେ ଗୁରୁ ବନ୍ଦନା ପରିବେଷଣ କରିଥିଲେ। ଏହାପରେ ଅତିଥିମାନେ ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ‘ଗିଭ ବ୍ଲଡ୍ ସେଭ୍ ଲାଇଫ୍’ର ସଭାପତି ଭାଗିରଥୀ ବାଈ ସଭାପତିତ୍ୱ କରିଥିବା ବେଳେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ, ଅନୁବାଦକ ଓ ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ସଭା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ବଂଶୀଧର ମହାବିଦ୍ୟାଳୟର ଅଧ୍ୟକ୍ଷା ରୀନାବାଳା ସାହୁ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ସୁଦର୍ଶନ ଦାସ, ସମାଜସେବୀ ଦାମୋଦର ସାହୁ, ସମାଜସେବୀ ତଥା ବରିଷ୍ଠ ନାଗରିକ ଜଗନ୍ନାଥ ଦାସ, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଡ଼ ସୁକାନ୍ତି ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଗୁରୁ ଦିବସର ମହତ୍ତ୍ୱ, ଗୁରୁ-ଶିଷ୍ୟ ପରମ୍ପରା ଏବଂ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିରୁଡାର ସମାଜସେବୀ ବବୁଲ୍ ଦାସ ଏବଂ ସମାଜସେବୀ ସନ୍ତୋଷ ପ୍ରଧାନ ନୋତରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଚମ୍ପତ୍ତିପୁରର ପୂର୍ବତନ ସରପଞ୍ଚ ବାଞ୍ଛାନିଧି ବେହେରା, ବିଶ୍ୱରଞ୍ଜନ ଷଡ଼ଙ୍ଗୀ, ଭୀମସେନ ସିଂ, ସନ୍ତୋଷ ନାୟକ, ସରୋଜ ମଣ୍ଡଳ, ଗଣେଶ ମୁଦୁଲି, ରାକେଶ ଶର୍ମା ଦାଶ, ସରୋଜ ସାହୁଙ୍କ ସମେତ ‘ଗିଭ ବ୍ଲଡ୍ ସେଭ୍ ଲାଇଫ୍’ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଶେଷରେ ଗୁରୁ ବନ୍ଦନା ଓ ଶାନ୍ତିପାଠ ପରିବେଷଣ ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

