ବଡ଼ମ୍ବା, (ଓଡ଼ିଶା ଲେଖା): ବଡ଼ମ୍ବା ତହସିଲ ଅଧୀନ ସାନବାରସିଂହ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ସଂକର୍ଷଣ ପ୍ରଧାନଙ୍କୁ ଆକ୍ରମଣ, ଜାତିଗତ ଆକ୍ଷେପ, ଅଫିସ ଭଙ୍ଗାରୁଜା ଓ ଧମକ ଦିଆଯାଇଥିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରତିବାଦରେ ରାଜସ୍ୱ ଅଧିକାରୀ ଓ କର୍ମଚାରୀମାନେ ବଡ଼ମ୍ବା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ନ୍ୟାୟ ଦାବି କରିଛନ୍ତି। ସୂଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ତହସିଲ ଅନ୍ତର୍ଗତ ସାନବାରସିଂହ ଅଞ୍ଚଳର ସଚିଦାନନ୍ଦ ସାମନ୍ତରାୟ ରାଜସ୍ୱ ନିରୀକ୍ଷକଙ୍କ ଅପରାହ୍ନ ୧ଟା ସମୟରେ କାର୍ଯ୍ୟାଳୟକୁ ଆସିଥିଲେ। ଲିଗାଲ ହେୟାର ରିପୋର୍ଟରୁ ତାଙ୍କ ଭଉଣୀଙ୍କ ନାମ କାଟିବା ପାଇଁ ସେ ଚାପ ପକାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜସ୍ୱ ନିରୀକ୍ଷକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।ପରେ ଅଭିଯୁକ୍ତ ଜଣକ ରାଜସ୍ୱ ନିରୀକ୍ଷକଙ୍କୁ ଜାତିଗତ ଆକ୍ଷେପ କରିବା ସହ ତାଙ୍କ ଛାତିରେ ଆଘାତ କରିଥିବା ଏବଂ ଶାର୍ଟ ଚିରି ଦେଇଥିବା ଅଭିଯୋଗ ରହିଛି। ଏଥିସହ ଅଫିସରେ ଥିବା ସରକାରୀ ଲାପଟପ୍କୁ ତଳେ ଫିଙ୍ଗି ଦେଇ ଭଙ୍ଗାରୁଜା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣା ସମୟରେ ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଥିବା ନେଇ ମଧ୍ୟ ବଡ଼ମ୍ବା ଥାନାରେ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।ଘଟଣାକୁ ନେଇ ରାଜସ୍ୱ ନିରୀକ୍ଷକ ନିରପେକ୍ଷ ତଦନ୍ତ, ଏଫ୍ଆଇଆର୍ ରୁଜୁ ଏବଂ ନିଜ ସମେତ ତହସିଲର ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ କର୍ମଚାରୀମାନେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।

