ନୟାଗଡ଼, (ଓଡ଼ିଶା ଲେଖା): ପୂଆଣିଆ ଗାଁରେ ଡବଲ ମର୍ଡର ।ଡବଲ ମର୍ଡରକୁ ନେଇ ଆଖ ପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପୁଆଣିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମାମୁଁର ଆକ୍ରମଣରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ଭଣଜାର ମୃତ୍ୟୁ ଘଟିଛି । ଭଣଜା ମାଡ଼ରେ ମାନସିକ ବିକାର ଗ୍ରସ୍ତ ମାମୁଁର ମଧ୍ୟ ମୃତ୍ୟୁ ଘଟିଛି । ମୃତକ ମାମୁଁ ହେଲେ ହରିହର ରାଉତ ସଲିପ ରାଉତ, ଭଣଜା ହେଲେ ଶଙ୍କର ପ୍ରଧାନଙ୍କ ପୁଅ ଲିଲୁ ପ୍ରଧାନ । ସୂଚନାନୁସାରେ, ସଲିପ କିଛି ଦିନ ହେବ ମାନସିକ ଭାରସାମ୍ୟ ହରାଇ ପାଗଳ ଅବସ୍ଥାକୁ ଚାଲି ଆସିଥିଲେ । ଘରେ ବାଡ଼ାପିଟା କରିବା ସହ ଅଥୟ ପରିସ୍ଥିତି ସୃଷ୍ଟି କରୁଥିଲେ ।

ଏନେଇ ପରିବାର ଲୋକେ ତାଙ୍କୁ ମାନସିକ ଚିକିତ୍ସା ପାଇଁ ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ଅଜା ଘର ସ୍ଥିତିକୁ ଲକ୍ଷ କରି ଆଜି ଗୃହରକ୍ଷୀ ଭାବେ କାର୍ଯ୍ୟରତ ଭଣଜା ମାମୁଁଙ୍କ ଘରକୁ ଯାଇଥିଲେ । ସେଠାରେ ମାମୁଁଙ୍କୁ ମାଡ଼ପିଟି କରିବାକୁ ମାନସିକ ବିକାର ଗ୍ରସ୍ତ ଅବସ୍ଥାରେ ରହିଥିବା ମାମୁଁ ତାଙ୍କୁ ହାଣି ଦେଇଥିଲେ । ମାମୁଁଙ୍କ ଚୋଟରେ ଭଣଜାର ମୁଣ୍ଡ ଦୁଇ ଫାଳ ହୋଇଯିବା ସହ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମାଡ଼ ଖାଇବା କାରଣରୁ ମାମୁଁର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିିଳିଛି । ବୁଧବାର ସଂନ୍ଧ୍ୟାରେ ଘଟିଥିବା ଏହି ଅଭାବନୀୟ ଘଟଣା ସମ୍ପର୍କରେ ଖବର ପାଇ ଶରଣକୁଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରୁଥିବା ସୂଚନା ମିଳିଛି । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।


