ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଓ ଭୋଟ ଗଣତି ସମୟରେ ଘଟିଥିବା ହିଂସାକାଣ୍ଡରେ ଗୁରୁତର ଆହତ ହୋଇଥିବା କଂଗ୍ରେସ କର୍ମୀ ପ୍ରହଲ୍ଲାଦ ପାତ୍ର (ଟୁକୁ)ଙ୍କୁ ଭେଟିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ। ସୂଚନାନୁସାରେ, ଛାତ୍ର ସଂସଦ ନିର୍ବାଚନ ଓ ଭୋଟ ଗଣତି ସମୟରେ ପ୍ରହଲ୍ଲାଦ ବିଜେପି କର୍ମୀଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସେ ଗୁରୁତର ଆହତ ହେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପ୍ରହଲ୍ଲାଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ତାଙ୍କୁ କିପରି ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ, ସେନେଇ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବିଧାୟକଙ୍କ ସହ ନୟାଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକର ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କାଉନସିଲର ଜାନକୀ ବଲ୍ଲଭ ଜେନା, ଚଣ୍ଡୀବସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ସାହୁ ଓ ରୁଦ୍ରନାରାୟଣ ମିଶ୍ର ଉପସ୍ଥିତ ଥିଲେ। ନିର୍ବାଚନକୁ କେନ୍ଦ୍ର କରି ଘଟିଥିବା ଏହି ହିଂସାକାଣ୍ଡ ନୟାଗଡ଼ରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

