ନୟାଗଡ଼, (ଓଡ଼ିଶା ଲେଖା): ଦଶହରା ପୂଜା ଖର୍ଚ୍ଚ ପାଇଁ ନିଜ ଦରମାରୁ କିଛି ଟଙ୍କା ଅଗ୍ରିମ ଆକାରରେ ଦେବାକୁ ଦାବି କରି ନିରାଶ ହେବା ପରେ ନୟାଗଡ଼ ପୌର ପରିଷଦର ସଫେଇ କର୍ମଚାରୀମାନେ ତତଲା ଖରାରେ ଧାରଣା ଦେଇଥିବା ଜଣାପଡ଼ିଛି। ପେଟ ଦେଖାଇ ପ୍ରତିବାଦ କରି ସେମାନେ ନିଜର ଆର୍ଥିକ ଅସହାୟତା ପ୍ରକାଶ କରିଛନ୍ତି। ପର୍ବପର୍ବାଣି ସମୟରେ ପରିବାରର ଖର୍ଚ୍ଚ ବହନ କରିବା ପାଇଁ ଅଗ୍ରିମ ଟଙ୍କା ମାଗି ନିରାଶ ହେବା ପରେ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ସହରକୁ ସ୍ୱଚ୍ଛ ରଖିବାରେ ଦିନରାତି ପରିଶ୍ରମ କରୁଥିବା ସଫେଇ କର୍ମଚାରୀଙ୍କ ଏହି ଅବସ୍ଥା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ନୟାଗଡ଼ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ସଫେଇ କର୍ମଚାରୀଙ୍କ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି। ପର୍ବ ସମୟରେ ଶ୍ରମିକମାନଙ୍କ ଆର୍ଥିକ ସମସ୍ୟାକୁ ଗୁରୁତ୍ୱ ଦେଇ ପ୍ରଶାସନ ମାନବିକତାର ପରିଚୟ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି।

