ନୟାଗଡ଼, (ଓଡ଼ିଶା ଲେଖା): ଏକତରଫା ପ୍ରେମର କରୁଣ ପରିଣତି । ନାବାଳିକା ପ୍ରେମିକାକୁ ପିଟି ହତ୍ଯା କରିବା ପରେ ଜବରଦସ୍ତ ବିଷ ପିଆଇ ନିଜେ ବିଷ ପିଇଲା ପ୍ରେମିକ । ନାବାଳିକା ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଜଣଙ୍କ ଗୁରୁତର ହୋଇ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ବର ରେଫର୍ କରାଯାଇଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଗତ ୨ବର୍ଷ ହେଲା ନିଜ ଗାଁର ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲେ । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା ।

ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ତାକୁ ଅସଦାଚରଣ କରୁଥିଲେ ବୋଲି ନାବାଳିକାର ବାପା କହିଛନ୍ତି । ଆଜି ନାବାଳିକା ଜଣକ ଟ୍ୟୁସନ ଯାଉଥିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ପ୍ରଥମେ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିଦେବା ପରେ ଜବରଦସ୍ତ ତାକୁ ବିଷ ପିଆଇଦେଇଥିଲେ । ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇଦେଇଥିଲେ । ସ୍ଥାନୀୟଯୁବକମାନେ ଉଭୟଙ୍କୁ ନୟାଗଡ ମେଡିକାଲ ଆଣିବାପରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ନୟାଗଡ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ଣ୍ଣକୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି ।


