ନୟାଗଡ଼, (ଓଡ଼ିଶା ଲେଖା): ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ପଞ୍ଚାୟତର ବାସୁଦେବପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଅତି ଅମାନୁଷିକ ଭାବେ ସ୍ତ୍ରୀ, ସ୍ବାମୀକୁ ହତ୍ୟା କରିଥିବା ନେଇ ଖଣ୍ଡପଡ଼ା ଥାନାରେ ଶନିବାର ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଉକ୍ତ ମହିଳାଙ୍କୁ ଖଣ୍ଡପଡ଼ା ଥାନାରେ ଅଟକ ରଖିଥିବା ଜଣାପଡିଛି।ସାଇଣ୍ଟିଫିକ ଟିମ ଦିନ ତମାମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିବା ସୂଚନା ମିଳିଛି ।ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବାପୁନି ମହାପାତ୍ର ଓ ସ୍ତ୍ରୀ ଲକି ନାୟକ ମଧ୍ଯରେ ବିଭିନ୍ନ କାରଣକୁ କେନ୍ଦ୍ର କରି ସଦାବେଳେ ପାଟିତୁଣ୍ଡ ହୋଇ ଆସୁଥିଲା। ଗତ ୬ ମାସ ତଳେ ଉଭୟଙ୍କର ବିବାହ ହୋଇଥିବା ବେଳେ ପରିବାରରେ ସଦାସର୍ବଦା ଅଶାନ୍ତି ଲାଗି ରହୁଥିଲା। ତେବେ ଗତ ୨ ଦିନ ହେଲା ଘରେ ଶାଶୁ ଓ ଶ୍ବଶୁର କେହି ନଥିବାର ସୁଯୋଗ ନେଇ ବୋହୁ ଲକି ସୁଚିନ୍ତିତ ଉପାୟରେ ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ସ୍ବାମୀକୁ ହତ୍ଯା କରି ଘଟଣାଟିକୁ ଏକ ଆତ୍ମହତ୍ଯାର ରୁପ ଦେବା ପାଇଁ ପ୍ରୟାସ କରିଥିଲେ ହେଁ ପୁଅକୁ ବୋହୁ ହତ୍ଯା କରିଥିବା ନେଇ ପୁଅର ବାପା ମଧୁସୂଦନ ମହାପାତ୍ର ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ପୋଲିସ ମାମଲା ରୁଜୁ କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ଯବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଏହି ଘଟଣାର ପ୍ରଛଦପଟ୍ଟରେ ଆଉ କିଏ କିଏ ଅଛନ୍ତି ସେ ସଂପର୍କରେ ପୋଲିସ ଅଧିକ ଖୋଳତାଡ କରୁଥିବା ଜଣାଯାଇଛି। ଏହି ଘଟଣା ଖଣ୍ଡପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଖଣ୍ଡପଡା ପୋଲିସ ସ୍ତ୍ରୀକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।


