ନୟାଗଡ଼, (ଓଡ଼ିଶା ଲେଖା): ମହିଳା ଓ ଶିଶୁ ବିଭାଗ ମିଳିତ ସମନ୍ଵୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ବିଭିନ୍ନ କାର୍ଯ୍ୟକ୍ରମ ସମିକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲାକୁ ରାଜ୍ୟ ସ୍ଥରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ତାଗିତ କରିଥିଲେ। ସେଇପରି ଜିଲ୍ଲାରେ ବିଶେଷ କରି ଦଶପଲ୍ଲା, ଗଣିଆ ଓ ଭାପୁର ଆଦି ବ୍ଲକ ଗୁଡ଼ିକରେ ଗର୍ଭବତୀ ମା ତଥା ପ୍ରସୂତି ମା ମାନଙ୍କ ଠାରେ ରକ୍ତ ହୀନତାକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ଉପରେ ଜୋର୍ ଦେଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ତୃଣ ମୂଳ ସ୍ତରରେ ଯଥା ମମତା ଦିବସ, ଟୀକାକରଣ ଦିବସ ଆଦିକୁ ଉତ୍ତମ ରୂପରେ ପରିଚାଳନା ପାଇଁ ଉଭୟ ଗୋଷ୍ଠୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁକୁ ହ୍ରାସ କରିବା ପାଇଁ ଆଶା ତଥା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଅନବରତ ତାଲିମ୍ ଓ ସମୀକ୍ଷା କରିବା ଉପରେ ଜୋର୍ ଦେଇଥିଲେ। ସେହିଭଳି ଜିଲ୍ଲା ରେ କନ୍ୟା ସନ୍ତାନ ଦିନକୁ ଦିନ ହ୍ରାସ ପାଇବା ବି ଏକ ଉଦ୍ ବେଗକ ବିଷୟ, ତେଣୁ ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକ ଉପରେ ଚଢ଼ାଉ ତଥା ଲୋକଙ୍କ ମଧ୍ୟ ରେ ସଚେତନ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ସୁଶାନ୍ତ କୁମାର ଦାସ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଅନ୍ୟ ବିଭାଗିୟ ଅଧିକାରୀ, ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ତଥା ସବୁ ବ୍ଲକର ସିଡିପିଓ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ଓ ପ୍ରଜନନ ସ୍ବାସ୍ଥ୍ୟ ଅଧିକାରୀ ଆଶିଷ କୁମାର ମହାନ୍ତି ପରିଚାଳନା କରିଥିଲେ।

