ଭଞ୍ଜନଗର, (ଓଡ଼ିଶା ଲେଖା): “ସ୍ୱାସ୍ଥ୍ୟ ହିଁ ସମ୍ପଦ”—ଏହି ଉକ୍ତିକୁ ସାର୍ଥକ କରିବା ସହ ଆର୍ଥିକ ଅସୁବିଧାରେ ଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଭଞ୍ଜନଗର ସହରରେ ପ୍ରଥମଥର ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଆୟୋଜିତ ହୋଇଛି। ଭଞ୍ଜନଗରର ଅଗ୍ରଣୀ ତ୍ରିରଙ୍ଗା ମିଡିଆ ଓ ସାମାଜିକ ଅନୁଷ୍ଠାନ ଏବଂ ଉତ୍କଳ ମେଡିକାଲ ଷ୍ଟୋରର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ହୃଦରୋଗ ଓ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ଡାକ୍ତର ସ୍ମୃତି ପ୍ରକାଶ ସାହୁ ଏବଂ ଡାକ୍ତର ପଦ୍ମଲୋଚନ ପୃଷ୍ଟି ଶିବିରରେ ଉପସ୍ଥିତ ରହି ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଶିବିର ଅବସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଦସ୍ୟମାନେ ଉପସ୍ଥିତ ବିଶେଷଜ୍ଞ ଡାକ୍ତରମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସ୍ୱାଗତ ଓ ସମ୍ମାନିତ କରିଥିଲେ।ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳର ବହୁ ରୋଗୀ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଆର୍ଥିକ ଅଭାବ ଯୋଗୁଁ ଅନେକ ରୋଗୀ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇପାରୁନଥିବା ବେଳେ ଏଭଳି ଶିବିର ସେମାନଙ୍କ ପାଇଁ ବେଶ୍ ଉପକାରୀ ହେବ ବୋଲି ଉପସ୍ଥିତ ରୋଗୀମାନେ ମତ ପ୍ରକାଶ କରିଥିଲେ। ଡାକ୍ତର, ରୋଗୀ ଓ ଆୟୋଜକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଏଭଳି ଆହୁରି ଅନେକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି।
ରିପୋର୍ଟ: ରବି ନାରାୟଣ ଦାଶ

