ନୟାଗଡ଼, (ଓଡ଼ିଶା ଲେଖା): ଗାନ୍ଧୀ ଜୟନ୍ତୀ ଅବସରରେ ଇଟାମାଟିଠାରେ ‘Give Blood Save Life’ ଏବଂ ଜ୍ଞାନଦୀପ ବିଦ୍ୟାମନ୍ଦିର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ନୟାଗଡ଼ ବ୍ଲଡ୍ ବ୍ୟାଙ୍କ୍ ପକ୍ଷରୁ ଶିବିରକୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଇଟାମାଟି ଅଞ୍ଚଳର ବହୁ ରକ୍ତଦାତା ଓ ସମାଜସେବୀ ସ୍ୱେଚ୍ଛାକୃତ ଭାବେ ଯୋଗଦେଇ ରକ୍ତଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏସ୍. ରାଓ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଇଟାମାଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ରକ୍ତଦାତାମାନଙ୍କୁ ସଚେତନ କରାଇଥିଲେ। ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ପୁଷ୍ପଲତା ମିଶ୍ର ଶିବିର ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗତିଶ୍ୱର ସ୍ନାତକ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ସଂଯୋଜକ ଡାକ୍ତର ସୁଶାନ୍ତ କୁମାର ମାଝୀ, ଦୀପକ ଦଳବେହେରା, ସମାଜସେବୀ ଦାମୋଦର ସାହୁ, ଯୋଗଗୁରୁ ପ୍ରଦୀପ୍ତ କୁମାର ସାହୁ, ଶିକ୍ଷକ ପ୍ରସନ୍ନ ମିଶ୍ର, ସୁଶାନ୍ତ ରାୟ, ବବୁଲ୍ ଦାସ ଏବଂ ‘Give Blood Save Life’ର ସଭାପତି ଶ୍ରୀଯୁକ୍ତ ଭାଗିରଥୀ ବାଇ ପ୍ରମୁଖ ଉପସ୍ଥିତ ଥିଲେ। ଶିବିର ଶେଷରେ ଆୟୋଜକଙ୍କ ପକ୍ଷରୁ ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା, ଶିକ୍ଷକ-ଶିକ୍ଷୟିତ୍ରୀ, ସମସ୍ତ ରକ୍ତଦାତା, ଅତିଥିବୃନ୍ଦ ଏବଂ ‘Give Blood Save Life’ର ସମସ୍ତ ସଦସ୍ୟଙ୍କୁ ଶିବିରର ସଫଳ ଆୟୋଜନରେ ସହଯୋଗ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଥିଲା।

