ନୟାଗଡ଼, (ଓଡ଼ିଶା ଲେଖା): ଭୁସୁଡ଼ିବାକୁ ବସିଲାଣି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା । ପ୍ରତ୍ୟେକ ଦିନ ଗଣମାଧ୍ୟମର ଶିରୋନାମା ପାଲଟିଛି ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର କିନ୍ତୁ ସୁଧୁରିବାର ନା ଗନ୍ଧ ଧରୁ ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। କେଉଁଠି ଶିକ୍ଷକ ଅଭାବ ଦେଖା ଦେଲାଣି ତ ଆଉ କେଉଁଠି ଦୁର୍ନୀତି ଖୋର ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ବଦଳି ପାଇଁ ଆନ୍ଦୋଳନ ହେଉଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏମିତି କି ଗୋଟିଏ ବର୍ଷରେ ଭିତରେ ଦୁର୍ନୀତି ଖୋର୍ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଦ୍ୟାଳୟ ସମ୍ମୁଖରେ ଏକାଧିକ ବାର ଆନ୍ଦୋଳନ ହେଇ ଆସୁଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କର୍ଣ୍ଣପାତ କରୁନଥିବା ବଡ଼ ବିଡ଼ମ୍ବନାର ବିଷୟ ପାଲଟିଛି । ଜଣେ ଦୁର୍ନୀତି ଖୋର ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ନୀତିରେ ସାମିଲ୍ କରିଥିବା ଜିଲ୍ଲା ଶିକ୍ଷା ବିଭାଗ ଜାଣିବା ପରେ, ତାଙ୍କୁ ଘଣ୍ଟ ଘୋଡ଼ାଇବା ଜିଲ୍ଲା ଶିକ୍ଷା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ଜାକେଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜାକେଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ କୁମାରୀ ତ୍ରିପାଠୀଙ୍କ ବିରୋଧରେ ହାଇସ୍କୁଲ ସମ୍ମୁଖରେ ଅଭିଭାବକ ଓ ପଞ୍ଚାୟତବାସୀଙ୍କ ଧାରଣା। ସୂଚନା ଥାଉକି ପୂର୍ବରୁ ଶ୍ରୀମତୀ ମିନତୀ କୁମାରୀ ତ୍ରିପାଠୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ଅନୁଦାନ ରାଶିକୁ ଆତ୍ମସାତ କରିଥିବା ଓ ନିଜ ସ୍ୱାମୀ ରବୀନ୍ଦ୍ର କୁମାର ହୋତାଙ୍କୁ ବିଦ୍ୟାଳୟରେ ବେଆଇନ ଭାବେ ନିଯୁକ୍ତି କରାଇ ତାଙ୍କ ନାମରେ ସରକାରଙ୍କ ରାଜକୋଷ ରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ଏବଂ ଦୀର୍ଘ ବର୍ଷ ଧରି ପୁରୁଣା ବିଦ୍ୟାଳୟ ପରିଚାଳନା କମିଟିକୁ ଅନୁମୋଦନ କରାଇ ବିଭିନ୍ନ ସମୟରେ ମନମୁଖୀ କାର୍ଯ୍ୟ କରି ଆସୁଥିବା ନେଇ ଅନେକ ଥର ପଞ୍ଚାୟତବାସୀ ନୟାଗଡ଼ ଜିଲ୍ଲାପାଳଙ୍କ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ଏବଂ ବିଦ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା।ଯାହାକି ଅଭିଭାବକ ଓ ପଞ୍ଚାୟତବାସୀଙ୍କ ବାରମ୍ବାର ଅଭିଯୋଗ କ୍ରମେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ପକ୍ଷରୁ ଚିଠି ନଂ ୭୨୯୨ରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ଜାକେଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଶିମିଳିସାହିକୁ ଚିଠି ହୋଇଥିଲା। ଏହାକୁ ନେଇ ଗତ ଅକ୍ଟୋବର ମାସ ୧୬ ତାରିଖରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ନିମନ୍ତେ ଉକ୍ତ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକର ଆୟୋଜନ ହୋଇଥିଲା। ସମସ୍ତ ଅଞ୍ଚଳବାସୀଙ୍କ ସର୍ବ ସନମତି କ୍ରମେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ଗୃହୀତ ହୋଇଥିଲା।

କିନ୍ତୁ ଏକ ମାସ ବିତିଯାଇଥିଲେ ସୁଦ୍ଧା ଜାକେଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇନଥିବା ଯୋଗୁଁ ଉକ୍ତ ବିଦ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟା ସମେତ ଅଞ୍ଚଳବାସୀଙ୍କ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।ଏହି ସମ୍ପର୍କରେ ଲୋକମାନଙ୍କ ଠାରୁ ମତାମତ ନେଇଥିବାରୁ ସେ କହିଥିଲେ କି ନୂତନ ବିଦ୍ୟାଳୟ ପରିଚାଳନା କମିଟିକୁ ଅନୁମୋଦନ ନକରାଇ ଦେବା ପାଇଁ ବିଭିନ୍ନ ଉପାୟ ପନ୍ଥା ଆପଣେଇବା ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ଅନୁଦାନ ରାଶିକୁ ଆତ୍ମସାତ କରିଥିବା ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ କୁମାରୀ ତ୍ରିପାଠୀଙ୍କ ବିରୋଧରେ ଗଣ ଧାରଣା ଦେଇଥିବା ପ୍ରକାଶ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ନୂଆଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଜ୍ୟୋସ୍ନାରାଣୀ ସେଠି ଏବଂ ସି.ଆର.ସି.ସି ପ୍ରଶନ୍ନ ବେହେରା ପହଞ୍ଚି ସ୍ଥାନୀୟ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି କଥା ଶୁଣିନଥିଲେ। ସ୍ଥାନୀୟ ଜନସାଧାରଣଙ୍କ ଗୋଟିଏ ଦାବି ମିନତୀ ହଟାଅ ସ୍କୁଲ ବଞ୍ଚାଅ ଓ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଆମର ଦାବି ବୋଲି ପ୍ରତିକ୍ରିୟା ରଖିଥିଲେ। ଆଗାମୀ ଦିନରେ ଦାବି ପୂରଣ ନହେଲେ ବିଦ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଗଣ ଧାରଣା ଦିଆଯିବ ବୋଲି ପଞ୍ଚାୟତବାସୀଙ୍କ ଚେତାବନୀ ଦେଇଛନ୍ତି।

