ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ କାଳିକା ପ୍ରସାଦ ଗାଁରେ ଗୋଷ୍ଠୀ ସଂଘର୍ଷ । ଜଣେ ଗୁରୁତର, ଥାନାରେ ମାମଲା । ମାମଲାକୁ ନେଇ ପୋଲିସ ଉପରେ ପଡୁଛି ଚାପ । ଯାହାକୁ ନେଇ ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀର ଆନ୍ଦୋଳନ କରିବା ପାଇଁ କଡ଼ା ଚେତାବନୀ । ଦଳ ସିନା ଅନ୍ୟ ଦଳ ସହ ଗୋଷ୍ଠୀ ସଂଘର୍ଷ ଲାଗିବା କଥା, କିନ୍ତୁ ନୟାଗଡ଼ ବିଜେପି ଗୋଟିଏ ଦଳ ଦୁଇଟି ଗୋଷ୍ଠୀ । ଯାହାକୁ ନେଇ ହେଉଛି ତୁମୁଳ କାଣ୍ଡ । ପୁରୁଣା ନେତାଙ୍କୁ ଅଣଦେଖା କରାଯାଉଥିବା ବେଳେ ଆମଦାନୀ ନେତାଙ୍କ ପର୍ଦୁଭାବ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ଆମଦାନୀ ନେତାଙ୍କ ପାଇଁ ବିଜେପି ଦଳ ବଦନାମ୍ ହେଇଛି । ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗାଁରେ କିଛି ଦିନ ହେବ କୁହୁଳୁଥିବା ରାଜନୈତିକ ଉଷ୍ମତା ଆଜି ଉଗ୍ରରୂପ ଧାରଣ କରିଛି । ବିଜେପି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିଗତ ଦିନରେ ବାଦ ବିବାଦ ସୃଷ୍ଟି ହୋଇଥିଲା । ପୁରୁଣା ବିଜେପି ଗୋଷ୍ଠୀ ଏବଂ ଦଳଡିଆଁ ଆମଦାନୀ ବିଜେପି ଗୋଷ୍ଠୀ ନେତାଙ୍କ ସମର୍ଥନରେ ଗୋଟିଏ ଦିନରେ ଦୁଇ ଦୁଇଟି ସମାନ୍ତରଳ ସଭା ଅନୁଷ୍ଠିତ ହୋଇଥିଲା ।

ଯାହାକୁ ନେଇ ଗାଁରେ କୁହୁଳୁଥିବା ରାଜନୈତିକ ଉଷ୍ମତା ଆଜି ତେଜିଛି । ଉକ୍ତ ଗାଁରେ ବିଜେପି କର୍ମୀ ଅଶୋକ କୁମାର ଭଟ୍ଟ ଗାଁରୁ ନୟାଗଡ଼ ଅଭିମୂଖେ ଯିବା ସମୟରେ ଉକ୍ତ ଗାଁର ଅନ୍ୟ ଗୋଷ୍ଠୀ ସମର୍ଥିତ ଦିଗାମ୍ବର ସ୍ୱାଇଁ, ଗୋପାଳ ମହାପାତ୍ର, ଚନ୍ଦନ ମହାପାତ୍ର, ସୁଶାନ୍ତ କୁମାର ଭଟ୍ଟ ତାଙ୍କୁ ରାସ୍ତାରେ ଅଟକାଇ ନିର୍ଦ୍ଧୁମ ମାଡ଼ ମାରିଛନ୍ତି । ଅଶୋକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଛି । ତାଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ଏନେଇ ଅଶୋକଙ୍କ ଭାଇ ସଦରଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାମଲା ରୁଜୁ ସମୟରେ ଅପର ପକ୍ଷରୁ ପୋଲିସ ଉପରେ ଚାପ ପଡୁଥିବା ନେଇ ମଧ୍ୟ ଅଭିଯୋଗ ଆସିଥିବା ବେଳେ ଯଦି ଆସନ୍ତା କାଲି ଭିତରେ ଆକ୍ରମଣ କାରୀମାନଙ୍କୁ ପୋଲିସ୍ ଗିରଫ ନକରେ ତେବେ ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ସନ୍ତୋଷ ପ୍ରଧାନ ପ୍ରକାଶ କରିଛନ୍ତି ।


