ନୟାଗଡ଼, (ଓଡ଼ିଶା ଲେଖା): ପ୍ରଧାନ ଶିକ୍ଷକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ । ଓଡ଼ଗାଁ ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ନିଲମ୍ବନକୁ ବିରୋଧ କରିବା ସହ ପ୍ରତ୍ୟାହାର ଦାବିରେ ରାଜରାସ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମିଳିତ ବିକ୍ଷୋଭ। ସୂଚନାନୁସାରେ, ଗତ ଦୀପାବଳୀ ଅବସରରେ ବିଦ୍ୟାଳୟ ଛୁଟି ଥିବା ସମୟରେ ପ୍ରଧାନଶିକ୍ଷକ ସନ୍ଧ୍ୟା ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଦୀପାବଳି ପାଳନ କରିଥିଲେ। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହାକୁ ନେଇ ତୁମ୍ଭିତୋଫାନ ହେବା ସହ ବିଇଓ ପିଣ୍ଟୁ ପ୍ରଧାନ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କରିଥିଲେ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ, ଛାତ୍ର ଛାତ୍ରୀ ମାନେ ଧାରଣା ବସିଛନ୍ତି ମୋ ପାଖରେ ଖବର ନାହିଁ । ବ୍ଲକ୍ ଶିକ୍ଷାଅଧିକାରୀ ଜାଣିଥିବେ କହି କଥାକୁ ଏଡ଼ାଇ ଦେଇଥିଲେ । ତେବେ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଆସି ରାସ୍ତା କଡ଼ରେ ବସିଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଖବର ନଥିବା ଏକ ବିଡମ୍ବନାର ବିଷୟ । ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଆନ୍ଦୋଳନ ପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଏବଂ ନିଲମ୍ବନ ଆଦେଶ ପତ୍ର ୭ଦିନ ଭିତରେ ପ୍ରତ୍ୟାହର କରାଯିବାର ପ୍ରତିଶ୍ରୁତି ମିଳିଥିବା ବିଶେଷ ସୂଚନା ମିଳିଛି ।


