ନୟାଗଡ଼, (ଓଡ଼ିଶା ଲେଖା): ଉତ୍ସବ ମୁଖର ହେବାକୁ ଯାଉଛି ନୟାଗଡ଼ ପୁରୁଣା ସହର । ବ୍ୟବସାୟ ସାଙ୍ଗକୁ ମନୋରଞ୍ଜନର ମଜ୍ଜା ଉଠାଇବେ ଦର୍ଶକ । ହଁ ଆଜ୍ଞା ନଭେମ୍ବର ୧ତାରିଖରୁ କାର୍ତ୍ତିକ ପୂର୍ଣ୍ଣିମା ୫ତାରିଖ ପର୍ଯ୍ୟନ୍ତ ନୟାଗଡ଼ ପୁରୁଣା ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜବିତ କରିଆସୁଥିବା ବୋଇତ ବନ୍ଦାଣ ଉତ୍ସବ-୨୦୨୫। ସୂଚନାନୁସାରେ, ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆଠାରେ ଆସନ୍ତା ନଭେମ୍ବର ୫ତାରିଖ ସକାଳ ଘ୭.୩୦ ମି. ସମୟରେ “ବୋଇତ ବନ୍ଦାଣ ଉତ୍ସବ” ପାଳନ କରାଯାଉଅଛି । ଉକ୍ତ ଉତ୍ସବକୁ ଲୋକାଭିମୁଖୀ କରିବା ପାଇଁ ନଭେମ୍ବର ୧ତାରିଖ ଠାରୁ ୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ପଲ୍ଲିଶ୍ରୀ ମେଳା ଓ ରାମ ଦୋଳିର ଆୟୋଜନ କରାଯାଇଅଛି ।

୧ତାରିଖ ବୋଇତ ବନ୍ଦାଣ ଉତ୍ସବ ସନ୍ଧ୍ୟାକୁ ନୟାଗଡ଼ ଲୋକପ୍ରିୟ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରଥମ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭୁବନେଶ୍ଵରର ଶର୍ମିଷ୍ଠା ସରକାରଙ୍କ ମେଲୋଡ଼ି ନାଇଟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ ନୃତ୍ୟ ସାଙ୍ଗକୁ ଶିଳ୍ପିକା ଡ୍ୟାନ୍ସ ଗ୍ରୁପ୍ ସହ ହାସ୍ୟ ଅଭିନେତା ନନସେନ୍ସ ମଣି ଓ ଟ୍ରାକ ସିଙ୍ଗର, ବିଶିଷ୍ଟ କଳାକାର ତାନସେନ୍ ସିଂଙ୍କ ଦ୍ଵାରା ରଙ୍ଗାରଙ୍ଗ ସମାରୋହ ଅନୁଷ୍ଠିତ ହେବ । ସେହିପରି ତୃତୀୟ ସନ୍ଧ୍ୟାକୁ ସାଂସ୍କୃତିକ ନୃତ୍ୟ ସାଙ୍ଗକୁ ମିଲୋଡ଼ି ସୁର ତରଙ୍ଗ ଟିମ ସହ ଇରା ମହାନ୍ତି କଣ୍ଠ ସ୍ଵରରେ ଦର୍ଶକ ମାନେ ଝୁମିବାର କାର୍ଯ୍ୟକ୍ରମ ରହିଛି । ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ ନୃତ୍ୟ ସହ କମେଡି ତଡକା, ଟ୍ରାକ ସିଙ୍ଗର ଓ ପୁରୀ ସୂର୍ଯ୍ୟ ଡ୍ୟାନ୍ସ ଗ୍ରୁପ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ସକାଳୁ ସାଗର ପୋଖରୀ କୂଳରେ ଡଙ୍ଗା ଭଷା ସହ ହଜାର ହଜାର ଦର୍ଶକ ମଧ୍ୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ‘ ବୋଇତ ବନ୍ଦାଣ’ ନୃତ୍ୟ ସହ ଓଡ଼ିଆ ଅଭନେତ୍ରୀ ଶୀତଲ ପାତ୍ରଙ୍କ ଠୁମୁକା ଦେଖିବାକୁ ମିଳିବ ଏବଂ ଉଦଯାପନୀ ଉତ୍ସବରେ ସନ୍ଧ୍ୟାରେ କଟକର ମେଲୋଡ଼ି ବାଦଶାହା ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ଏଣୁ ଆପଣମାନଙ୍କର ଉପସ୍ଥିତି, ସାହାଯ୍ୟ ଓ ସହଯୋଗ ଏକାନ୍ତ କାମ୍ୟ । ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆସନର ବ୍ୟବସ୍ଥା କରାଯାଇଛି ବୋଲି ବୋଇତ ବନ୍ଦାଣ ଯାତ୍ରା ଉତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି ।


