ଆଜି ଆମେ ସ୍ୱାଧୀନତାର ୮୦ ବର୍ଷ ରେ ପାଦ ଥାପିଛେ । ଆମ ପାଇଁ ଏହା ଆନନ୍ଦ ଓ ଖୁସିର ବିଷୟ । ପୂର୍ବରୁ ଆମକୁ ଏବଂ ଆମ ଦେଶକୁ ଏକାଧିକ ରାଜବଂଶ, ଅନେକ ସାମ୍ରାଜ୍ୟ ଓ ଅନେକ ବିଦେଶୀ ଶକ୍ତି ବିଭିନ୍ନ ସମୟରେ ଶାସନ କରିଛନ୍ତି । କିନ୍ତୁ ବ୍ରିଟିଶର ସେହି ୨୦୦ ବର୍ଷର କଷଣ ଓ ଶାସନ ତା ମଧ୍ୟରେ ଅନେକ ସଂଗ୍ରାମ, ଆନ୍ଦୋଳନ, ଅନେକ ବଳିଦାନ, ସହିଦ୍ ମାନଙ୍କର ତ୍ୟାଗର ପ୍ରତିବଦଳରେ ଆମେ ସ୍ୱାଧୀନତା ପାଇଲେ, ତାକୁ ଆମେ କାଏମ ରଖିଛେ କି ? ସତରେ କ’ଣ ଆମେ ସ୍ୱାଧୀନ ମନେକରୁଛେ ? କ’ଣ ଆମେ ସ୍ୱାଧୀନ ଚିନ୍ତା ଓ ଚେତନା ନେଇ ବଞ୍ଚୁଛେ ? ଇତିହାସକୁ ଦେଖିଲେ ଜଣାଯାଏ – ୧୬୦୦ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହେଲା । ପରେ ୧୭୫୭ ର ପଲାସୀଯୁଦ୍ଧ ପରେ ବଙ୍ଗରେ କମ୍ପାନୀ ପ୍ରଭାବ ବିସ୍ତାର କଲା । ସେବେଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପାଖାପାଖି ୧୯୦ / ୨୦୦ ବର୍ଷର ଶାସନ ଓ ଜୁଲମ ପରେ ଆମେ ଆଜାଦ ହେଲେ । ଏଠି ଆମେ ଅନ୍ୟ ଏକ କଥା କହିପାରିବା – ବ୍ରିଟିଶ ମାନେ କେବଳ ଭାରତକୁ ଶାସନ କରୁନଥିଲେ । ପାଖାପାଖି ବ୍ରିଟିଶ ମାନେ ବିଶ୍ୱର ୬୫ ରୁ ଅଧିକ ଦେଶରେ ଶାସନ କରୁଥିଲେ । ଏହିଥିରେ ବହୁ ବଡ଼ ବଡ଼ ରାଷ୍ଟ୍ର ଯେଭଳି ଯୁକ୍ତରାଷ୍ଟ୍ର ଆମେରିକା, ୟୁଏଇ, ଅଷ୍ଟ୍ରେଲିଆ, କାନାଡା, ଚାଇନାର କିଛି ଅଂଶ, ଇସ୍ରାଏଲ ପରି ଅନେକ ରାଷ୍ଟ୍ର । ୧୯୨୦ ଦଶକରେ ବ୍ରିଟିଶ ସାମ୍ରାଜ୍ୟ ପୃଥିବୀର ପ୍ରାୟ ଏକ – ଚତୁର୍ଥାଶଂ ଭୂଭାଗ ଓ ବିଶ୍ୱ ଜନସଂଖ୍ୟାର ଏକ – ଚତୁର୍ଥାଶଂ ଅଞ୍ଚଳରେ ସାମ୍ରାଜ୍ୟ ବିସ୍ତାର କରିଥିଲେ । ତେଣୁ ସେତେବେଳେ କୁହାଯାଉଥିଲା – ” The sun never sets on the British Empire ” ଅର୍ଥାତ୍:- ବ୍ରିଟିଶ୍ ସାମ୍ରାଜ୍ୟର କୌଣସି ନା କୌଣସି ସ୍ଥାନରେ ସବୁବେଳେ ସୂର୍ଯ୍ୟ ଉଦୟ ହୋଇଥାଏ । କାରଣ :- ଏହା ଅଧିନରେ ଥିବା ଅଞ୍ଚଳ ପୃଥିବୀର ବିଭିନ୍ନ ସମୟ ଅଞ୍ଚଳରେ ଥିଲା । ଏ ସବୁ ମଧ୍ୟରେ ବିଡ଼ମ୍ବନାର କଥା ୮୦ ବର୍ଷର ସ୍ୱାଧୀନତା ପରେ ଆମେ ଯଦି ନିଜକୁ ଖୋଜିବା ତେବେ ପ୍ରଶ୍ନ ଆସିବ ଆମେ କେଉଁଠି ? ଆମେ କେଉଁଥିରେ ସ୍ୱାଧୀନ ? ଆମେ ଯଦି ଦେଶର ସମସ୍ତ ଦିଗକୁ ନିରୀକ୍ଷଣ କରିବା, ନିଷ୍କର୍ଷରେ ଏକ ହୃଦୟ ବିଦାରକ ଏବଂ ଛାତି ଥରାଇଲା ଭଳି ଚିତ୍ର ପାଇବା । ସ୍ୱାଧୀନତା ରୁ ସାମ୍ପ୍ରତିକ ଦେଶର ଆର୍ଥିକ ଯାତ୍ରାକୁ ଦେଖିବା ୧୯୪୭ ମସିହାରେ ଦେଶର GDP ପ୍ରାୟ ୨.୭ ଲକ୍ଷ କୋଟି ରୁ ଆସି ୨୦୨୬ ରେ ୩୪୬ ଲକ୍ଷ କୋଟିରୁ ଆଗକୁ ଅଗ୍ରସର ହେଉଛି । ମୁଣ୍ଡପିଛା ଆୟ ବାର୍ଷିକ ୨୬୫ ଟଙ୍କାରୁ ଆସି ୨ ଲକ୍ଷ ରୁ ଉର୍ଦ୍ଧ ହୋଇଛି । ଦେଶର ବଜେଟ୍ ୧୯୭.୩୯ କୋଟି ରୁ ଆସି ୫୩.୪୭ ଲକ୍ଷ କୋଟି ଛୁଇଁଛି । ଏସବୁ ମଧ୍ୟରେ ଦେଶ ଯେଉଁ ୫ ଟ୍ରିଲିୟନ୍ ବା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି । ଭିନ୍ନ ଦିଗକୁ ଲକ୍ଷ୍ୟ କଲେ, ଦେଶର ଅବସ୍ଥା ଋଣଗ୍ରସ୍ତ ଓ ଭାରାକ୍ରାନ୍ତ ଲାଗୁଛି । ୧୯୪୮- ୪୯ ମସିହାରେ ଦେଶର ଋଣଭାର ୧.୭୯୫ କୋଟି ଥିଲା ବର୍ତ୍ତମାନ ଏହା ୨୦୦.୫୩ ଲକ୍ଷ୍ୟ କୋଟିରେ ପହଁଚିଛି । ମୁଣ୍ଡପିଛା ଋଣ ଭାର ୫୫ ଟଙ୍କା ରୁ ଆସି ୧.୩୭ ଲକ୍ଷକୁ ଛୁଇଁଛି । ଯାହା ପ୍ରାୟ ୨୬୦୦ ଗୁଣ ଅଧିକ । ଏହା ମଧ୍ୟରେ ବିଶ୍ୱ ଅସମାନତା ରିପୋର୍ଟ ଅନୁସାରେ ଭାରତରେ ଅର୍ଥନୈତିକ ଅସମାନତା ଅଧିକ । ଯାହା ଦେଶରେ ଧନୀଗରିବ ଭେଦଭାବକୁ ଦର୍ଶାଉଛି । ତଥ୍ୟ ଅନୁସାରେ ଦେଶର ମୋଟ ସମ୍ପତ୍ତିର ୬୫ ପ୍ରତିଶତ କେବଳ ୧୦ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖରେ ଏବଂ ଏଥିମଧ୍ୟରୁ ସବୁଠାରୁ ଧନୀ ୧ ପ୍ରତିଶତ ଲୋକ ପ୍ରାୟ ୪୦ ପ୍ରତିଶତ ସମ୍ପତିର ମାଲିକ । ତଳସ୍ତରରେ ଥିବା ୫୦ ପ୍ରତିଶତ ବ୍ୟକ୍ତିଙ୍କ ପାଖରେ ମାତ୍ର ୩ ରୁ ୬ ପ୍ରତିଶତ ସମ୍ପତି । ଅନ୍ୟପଟେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାବାଜାର କୁ ହିସାବ କଲେ ଦେଶ ସ୍ୱାଧୀନ ହେବାବେଳେ ଯୁକ୍ତରାଷ୍ଟ୍ର ଆମେରିକାର ୧ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୩.୩୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୯୬ .୦୦ ଟଙ୍କା ଛୁଇଁଲାଣି । ସେହିଭଳି ୟୁନାଇଟେଡ କିଙ୍ଗଡମର ୧ ପାଉଣ୍ଡ ତୁଳନାରେ ଭାରତୀୟ ମୁଦ୍ରା ୧୩.୩୦ ଟଙ୍କା ଥିବାବେଳେ ତାହା ଏବେ ୧୨୯.୫୮ ଟଙ୍କାରେ ପହଞ୍ଚିଲାଣି । ସେହିପରି ଶିକ୍ଷାର ଦିଗକୁ ଦେଖିଲେ, ଆମ ଶିକ୍ଷା ବ୍ୟବସ୍ଥା ରେ କେ.ଜି ରୁ ପିଜି ପର୍ଯ୍ୟନ୍ତ କେବଳ – “ ପାଠପଢ଼, ମୁଖସ୍ଥ କର, ପରୀକ୍ଷା ଦିଅ, ନମ୍ବରପାଅ ’’ ରେ ସୀମିତ । ଏଥିରେ ସୀମିତ ନରହି ଆମକୁ, “ ପାଠପଢ଼, ବୁଝ, ପ୍ରଶ୍ନ କର, ତର୍କ କର, ପ୍ରୋୟୋଗକର, ସମସ୍ୟାର ସମାଧାନ ’’ କରିବା ଦିଗରେ ବଢ଼ିବାକୁ ପଡିବ । ଅନ୍ୟପଟେ ଦେଶରେ ଶିକ୍ଷକ ଅଭାବ । ଡ୍ରପଆଉଟ ହାର ବଢୁଛି । ଛାତ୍ର ମାନେ କେବଳ ( ବି.ଏ, ବି.ଏସସି, ବି. କମ, ଏମ.ଏ, ଏମ. ଏସସି ) ମଧ୍ୟରେ ସୀମିତ । ଡିଗ୍ରୀ ଅଛି । ଦକ୍ଷତା ନାହିଁ । ନିଯୁକ୍ତି ନାହିଁ । ଅନ୍ୟପଟେ ଦେଶରେ ମାଳମାଳ ପ୍ରଶ୍ନପତ୍ର ଲିକ୍ । ପଢ଼ା ବହିରେ ତ୍ରୁଟି । ଛାତ୍ର ମାନଙ୍କ ଉପରେ ଅମାନୁଷିକ ଭାବେ ଲାଠିମାଡ଼ , ପାଣି ମାଡ଼ , ବର୍ବର୍ ନିର୍ଯାତନା । ଯାହା ଏକ ସ୍ୱାଧୀନ ରାଷ୍ଟ୍ର ପାଇଁ ନିନ୍ଦନୀୟ ଘଟଣା । ଶିକ୍ଷା ପାଇଁ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ (UDISE Plus ) ର ୨୦୨୪ -୨୫ ତଥ୍ୟ ଅନୁସାରେ ଦେଶରେ ୧,୦୪,୧୨୫ ଟି ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକଙ୍କ ଉପରେ ନିର୍ଭର କରୁଛି । ଏବଂ ଅନ୍ୟପଟେ ଦେଶରେ ୬ ରୁ ୧୭ ବର୍ଷ ବୟସର ୪.୬୦ କୋଟି ପିଲା ବିଦ୍ୟାଳୟ ବାହାରେ । ଯଦି ସ୍ୱାସ୍ଥ୍ୟ କ୍ଷେତ୍ର କୁ ଦେଖିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସଂସଦ ରେ ଦିଆଯାଇଥିବା ତଥ୍ୟ ଅନୁସାରେ ଦେଶରେ ୮୧୧ ଜଣ ରୋଗୀରେ ୧ ଜଣ ଡାକ୍ତର ଅଛନ୍ତି । ଯାହା ଅତ୍ୟନ୍ତ ନୈରାଶଜନକ। ସମ୍ପ୍ରିତିକ ଦେଶରେ ଦୁର୍ନୀତି ମଧ୍ୟ କମିବାର ନାଁ ଧରୁନି । ୨୦୨୫ ରେ ପ୍ରକାଶିତ ହୋଇଥିବା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଭାରତ ୧୦୦ ରୁ ୩୯ ସ୍କୋର ସହ ୧୮୨ ଦେଶ ମଧ୍ୟରୁ ୯୧ ତମ ସ୍ଥାନରେ ଅଛି । ଏହାବାଦ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ସଂସଦ ରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ବର୍ଷକୁ ପ୍ରାୟ ୨ ଲକ୍ଷ ରୁ ଅଧିକ ଭାରତୀୟ ଦେଶର ନାଗରିକତ୍ୱ ଛାଡ଼ି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରୁଛନ୍ତି । ଏଥିରେ ଅଧିକାଂଶ ଭାରତୀୟ ଆମେରିକା , କାନାଡା, ଅଷ୍ଟ୍ରେଲିଆ , ବ୍ରିଟେନ ଭଳି ଦେଶକୁ ପସନ୍ଦ କରୁଛନ୍ତି । ଏହାର କାରଣ ହେଉଛି – ଉନ୍ନତ ଶିକ୍ଷା , ଭଲ ଚାକିରି, ବ୍ୟବସାୟିକ ସୁଯୋଗ, ଜୀବନ ର ସ୍ଥାୟୀ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି । ଏ ସବୁ ମଧ୍ୟରେ ସମସ୍ତ ମାନଦଣ୍ଡ ରେ ମଧ୍ୟ ଆମେ ପଛରେ ପଡ଼ିଛେ। ବିଶ୍ୱ କ୍ଷୁଧା ସୂଚକାଙ୍କ ୨୦୨୫ ରେ ୧୨୩ ଟି ଦେଶ ମଧ୍ୟରୁ ୧୦୨ ତମ ସ୍ଥାନ । ୨୦୨୬ ରେ ପ୍ରକାଶିତ ବିଶ୍ୱ ଖୁସି ସୂଚକାଙ୍କ ରେ ୧୪୭ ଦେଶ ମଧ୍ୟରୁ ୧୧୬ ତମ ସ୍ଥାନ। ସେହିଭଳି ପରିବେଶ ପ୍ରଦର୍ଶନ ସୂଚକାଙ୍କ ୨୦୨୬ ରେ ୧୭୭ ଦେଶ ମଧ୍ୟରୁ ୧୭୬ ତମ ସ୍ଥାନ ରେ ଅଛେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକତା ଆଡକୁ ଯଦି ନଜର କରିବା ତେବେ ସଦ୍ୟପ୍ରକାଶିତ ହୋଇଥିବା ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ସୂଚକାଙ୍କ ରେ ୧୮୦ ଦେଶ ମଧ୍ୟରୁ ଭାରତ ୧୫୭ ତମ ସ୍ଥାନରେ ଅଛି । ସବୁଠାରୁ ବିଡ଼ମ୍ବନାର ବିଷୟ ଏହି ସବୁ ତାଲିକାରେ ଆମ ପଡୋଶୀ ରାଷ୍ଟ୍ର – ଶ୍ରୀଲଙ୍କା , ନେପାଳ, ଭୁଟାନ୍, ମିଆଁମାର ଏବଂ ଭାରତ ଠାରୁ ବହୁ ଛୋଟ ଛୋଟ ଦେଶ ଉପରେ ଅଛନ୍ତି । ଏହି ସବୁ ଜିନିଷ ଘଟିବ ନାହିଁ ବା କିପରି ! ଏବେବି ଗାଁ ଗାଁ ରେ ଜାତିଭେଦ, କଙ୍ଗାରୁ କୋର୍ଟ ଘୃଣ୍ୟ ପ୍ରଥା ପ୍ରଚଳିତ । ସମାଜରେ ସାମ୍ପ୍ରଦାୟିକ ହିଂସା ଏବେବି ବଳବତ୍ତର । ଏବେବି ଦେଶରେ ନାଗରିକ ମାନଙ୍କର ଦାୟିତ୍ଵବୋଧ (civic sense ) ର ଅଭାବ । ସମୟ ଜ୍ଞାନର ଅଭାବ । ଚାରିଆଡେ ନଦୀ, ନାଳ, ପୋଖରୀ ପ୍ରଦୂଷିତ । ଗ୍ରହଣ କରୁଥିବା ପବନ ମଧ୍ୟ ପ୍ରଦୂଷିତ । ଚାରିଆଡେ ଗଛ ଜଙ୍ଗଲ କଟା ଚାଲିଛି। ଏ ସବୁ ଦେଖିଲେ କେଉଁଠି ନା କେଉଁଠି ଏକ ପ୍ରଶ୍ନ ଉଠୁଛି ଆମେ କ’ଣ ଏଥିପାଇଁ ସ୍ୱାଧୀନତା ପାଇଛେ ? କ’ଣ ଆମେ ସ୍ୱାଧୀନତା ର ମୂଲ୍ୟବୋଧ କୁ ଅକ୍ଷୁର୍ଣ୍ଣ ରଖିଛେ? ସ୍ୱାଧୀନତା ର ୧୦୦ ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୪୭ ମସିହା ସୁଦ୍ଧା ଯେଉଁ ବିକଶିତ ଭାରତ ଗଢିତୋଳିବାର ଦିଗରେ ଅଗ୍ରସର ହେଉଛେ ତାହା ବାସ୍ତବରେ ପରିଣତ ହେବ ତ ?ହେ ! ସଭ୍ୟ ସମାଜର ନାଗରିକ ମାନେ ସମୟ ଥାଉ ଥାଉ ସଚେତନ ହୋଇ ସୁଧାରି ହେବାକୁ ପଡିବ । ନଚେତ୍ ସବୁଥାଇ ଆମକୁ ଗୋଲାମ ପରି ଜୀବନ ବଞ୍ଚିବାକୁ ପଡିବ ।
ନାମ: ଅନନ୍ତ ସାହୁ, ଗ୍ରାମ / ଜିଲ୍ଲା : ଇଟାମାଟି , ନୟାଗଡ଼

