ନୟାଗଡ଼, (ଓଡ଼ିଶା ଲେଖା): ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସାରା ଦେଶରେ ‘ଭାରତ ଛାଡ଼’ ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ନୟାଗଡ଼ ଗଡ଼ଜାତ ଅଞ୍ଚଳରେ ମଧ୍ୟ ରାଜାଙ୍କ ଶାସନ ଓ ବ୍ରିଟିଶ ଶାସନ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ଏହି ଆନ୍ଦୋଳନର ଇତିହାସରେ ଅକ୍ଟୋବର ୧୦ ତାରିଖ ଏକ ସ୍ମରଣୀୟ ଦିନ। ଏହି ଦିନ ନୂଆଗାଁ ଥାନା ଉପରେ ତ୍ରିରଙ୍ଗା ଉଡ଼ାଇବାକୁ ଯାଇ ପୋଲିସ ଗୁଳିରେ ଆଦିବାସୀ ନେତା କଷ୍ଟି ଡାକୁଆ ସହିଦ ହୋଇଥିଲେ।ସଂଗ୍ରାମୀ ଲକ୍ଷ୍ମଣ ମହାରଣା, ଶ୍ରୀଧର ଦାଶ, ନାରାୟଣ ନନ୍ଦ ଓ ବାଞ୍ଛାନିଧି ସେନାପତିଙ୍କ ନେତୃତ୍ୱରେ ନୟାଗଡ଼ ଗଡ଼ଜାତ ଅଞ୍ଚଳରେ ସ୍ୱାଧୀନତା ଓ ପ୍ରଜାଙ୍କ ଅଧିକାର ପାଇଁ ସଂଗ୍ରାମ ତୀବ୍ର ହୋଇଥିଲା। ଥୁଆବାରୀ ଗାଁ ଆନ୍ଦୋଳନର ଏକ ପ୍ରମୁଖ କେନ୍ଦ୍ର ପାଲଟିଥିବା ବେଳେ ପାଲବା, ପଞ୍ଚୁପାଣ୍ଡବ ଓ ଶୂଳିଆ ପାହାଡ଼ ପାଦଦେଶର ଅଞ୍ଚଳଗୁଡ଼ିକ ପ୍ରଜାମେଳିର ମୁଖ୍ୟ ଆଶ୍ରୟସ୍ଥଳୀ ଥିଲା। ଇତିହାସର ତଥ୍ୟ ଅନୁସାରେ, ୧୯୪୨ ମସିହା ଅକ୍ଟୋବର ୯ ତାରିଖ ରାତିରେ କୁଶବିଡ଼ାର ଆଦିବାସୀ ନେତା କଷ୍ଟି ଡାକୁଆଙ୍କ ନେତୃତ୍ୱରେ ଶହ ଶହ ପ୍ରଜା ବରକୋଳା ଫରେଷ୍ଟ ବିଟ୍ ନିକଟରେ ଏକତ୍ରିତ ହୋଇଥିଲେ। ପ୍ରଜାଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତୀକ ଭାବେ ପରିଚିତ ବିଟ୍ ହାଉସ୍କୁ ପୋଡ଼ି ଦେବା ପରେ ସେମାନେ ନୂଆଗାଁ ଥାନା ଅଭିମୁଖେ ଯାତ୍ରା କରିଥିଲେ। ଅକ୍ଟୋବର ୧୦ ତାରିଖ ସକାଳେ ନୂଆଗାଁ ଥାନା ଉପରେ ଜାତୀୟ ପତାକା ଉଡ଼ାଇବା ଉଦ୍ଦେଶ୍ୟରେ ଆଗେଇ ଯାଇଥିବା ପ୍ରଜାମେଳି ଉପରେ ପୋଲିସ ଗୁଳି ଚଳାଇଥିଲା। ଏହି ଗୁଳିକାଣ୍ଡରେ କଷ୍ଟି ଡାକୁଆ ପ୍ରାଣବଳି ଦେଇ ସହିଦ ହୋଇଥିଲେ। ତାଙ୍କର ଏହି ବଳିଦାନ ନୟାଗଡ଼ ମାଟିର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିଛି।ଦେଶର ସ୍ୱାଧୀନତା ପାଇଁ ଅସଂଖ୍ୟ ସଂଗ୍ରାମୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କଷ୍ଟି ଡାକୁଆଙ୍କ ପରି ବୀର ସଂଗ୍ରାମୀଙ୍କ ତ୍ୟାଗ, ସାହସ ଓ ବଳିଦାନ ଆଜି ମଧ୍ୟ ଆମକୁ ଦେଶପ୍ରେମ, ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ଏବଂ ଅଧିକାର ପାଇଁ ଲଢ଼ିବାର ପ୍ରେରଣା ଦେଇଥାଏ। ନୟାଗଡ଼ର ଏହି ଗୌରବମୟ ଇତିହାସକୁ ସଂରକ୍ଷଣ କରିବା ସହ ଆଗାମୀ ପିଢ଼ିକୁ ଏହା ସହିତ ପରିଚିତ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ।

